Diljit Dosanjh’s Concert Row: “କାହା ବାପାର ନୁହେଁ ହିନ୍ଦୁସ୍ତାନ…”, କାହିଁକି ଇନ୍ଦୋର ମଞ୍ଚରୁ ଏମିତି କହିଲେ ଗାୟକ ଦିଲଜିତ୍ ଦୋସାଞ୍ଜ?
ଇନ୍ଦୋର: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜଙ୍କ ଇନ୍ଦୋର କନ୍ସର୍ଟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଞ୍ଚରୁ ତାଙ୍କର ଏକ ବୟାନ ଏବେ ଚର୍ଚ୍ଚାରେ। ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ କବିତାର ପଂକ୍ତି ‘କିସି କେ ବାପ୍ କା ହିନ୍ଦୁସ୍ତାନ ଥୋଡ଼ି ହୈ’ ଉଦ୍ଧୃତ କରି ବିରୋଧୀଙ୍କୁ ଜବାବ ଦେଇଛନ୍ତି ଦିଲଜିତ୍। ବୋମା ବିସ୍ଫୋରଣ ଧମକ, ଗୀତ ଉପରେ କଟକଣା ଏବଂ ଅନୁମତିକୁ ନେଇ ଅନିଶ୍ଚିତତା ସତ୍ତ୍ୱେ ରବିବାର ଇନ୍ଦୋରରେ ତାଙ୍କ କନ୍ସର୍ଟ ଅନୁଷ୍ଠିତ ହୋଇଛି।
କନ୍ସର୍ଟ ଆରମ୍ଭରେ ଦିଲଜିତ୍ ଦର୍ଶକଙ୍କୁ ‘ଜୟ ଶ୍ରୀ ମହାକାଳ’ ଧ୍ୱନି ଦେବାକୁ କହିଥିଲେ। ଏହାପରେ ତାଙ୍କୁ ଇନ୍ଦୋର ଆସିବାରୁ ରୋକିବାକୁ ଅନେକ ଚେଷ୍ଟା ହୋଇଥିବା କହିଥିଲେ। ହେଲେ ସେ ଭୟଭୀତ ନୁହନ୍ତି ଏବଂ ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ କେବେ ପଛକୁ ହଟନ୍ତି ନାହିଁ ବୋଲି କହିଥିଲେ। ରାହତ ଇନ୍ଦୋରୀଙ୍କ କବିତା ଉଦ୍ଧୃତ କରି ସେ କହିଥିଲେ, ଏହି ମାଟିରେ ସମସ୍ତଙ୍କ ରକ୍ତ ମିଶିଛି, ଭାରତ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ।
ଦିଲଜିତ୍ଙ୍କ ‘ଅରା ଇଣ୍ଡିଆ ଟୁର୍ ୨୦୨୬’ର ଅଂଶ ଥିଲା ଏହି କନ୍ସର୍ଟ। ନଭେମ୍ବର ୧୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ଇନ୍ଦୋର ମେୟରଙ୍କ କାର୍ଯ୍ୟାଳୟ, ତିନୋଟି ବ୍ୟାଙ୍କ ଓ ତିନୋଟି ଘରୋଇ ସ୍କୁଲକୁ ଇ-ମେଲ୍ ଯୋଗେ ବୋମା ବିସ୍ଫୋରଣ ଧମକ ମିଳିଥିଲା। ପୁଲିସ ଏହି ଧମକପୂର୍ଣ୍ଣ ମେଲ୍ର ଯାଞ୍ଚ କରି ପ୍ରାଥମିକ ଭାବେ ଏହାକୁ ମିଥ୍ୟା ବୋଲି କହିଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହିଁ ଅନୁମତି ମିଳିଥିଲା।
ଅନ୍ୟପକ୍ଷରେ, ମହିଳା ଓ ଶିଶୁ ବିକାଶ ବିଭାଗର ଆପତ୍ତି ଏବଂ ହାଇକୋର୍ଟରେ ଉଠିଥିବା ପ୍ରସଙ୍ଗ ପରେ ଦିଲଜିତ୍ଙ୍କ ଚାରିଟି ଗୀତ, ‘ପଟିଆଲା ପେଗ୍’, ‘୫ ତାରା’, ‘କେସ୍’ ଓ ‘ଜଟ୍ ଉଠେ ଫାୟାର୍ କର୍ଦା’, ଗାଇବାକୁ ମନା କରାଯାଇଥିଲା। ଏହି ଗୀତଗୁଡ଼ିକ ଶିଶୁଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି ବିଭାଗ ଆଶଙ୍କା ପ୍ରକାଶ କରିଥିଲା।
ଇନ୍ଦୋରର ବାଇପାସ୍ ନିକଟସ୍ଥ ଡିଲାଇଟ୍ ଦସ୍ତୁର ଗ୍ରାଉଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କନ୍ସର୍ଟ ହୋଇଥିଲା। ସୁରକ୍ଷା ପାଇଁ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ୧,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ମୁତୟନ ହୋଇଥିଲେ। ଡ୍ରୋନ୍ ମାଧ୍ୟମରେ ନଜର ରଖିବା ସହ ଓ୍ୱାଚ୍ ଟାୱାର୍, ବ୍ୟାଗ୍ ସ୍କାନର୍, ବୋମା ନିଷ୍କ୍ରିୟକାରୀ ଦଳ ଓ ସୁରକ୍ଷା ବଳ ମଧ୍ୟ ନିୟୋଜିତ ହୋଇଥିଲେ। ପ୍ରାୟ ୬୦ରୁ ୭୦ଟି ସୁରକ୍ଷା ସର୍ତ୍ତ ଉପରେ ଆଲୋଚନା ପରେ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିଲା। ଭିଡ଼ ନିୟନ୍ତ୍ରଣ, ଅଗ୍ନି ଓ ବିଦ୍ୟୁତ୍ ସୁରକ୍ଷା, ଚିକିତ୍ସା ସୁବିଧା ଏବଂ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ମଧ୍ୟ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହା ପୂର୍ବରୁ ଅକ୍ଟୋବର ୩୦ରେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ୍ରେ ହେବାକୁ ଥିବା ଦିଲଜିତ୍ଙ୍କ କନ୍ସର୍ଟକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଥିଲା। ସୁରକ୍ଷା ଓ ଆଇନଶୃଙ୍ଖଳା ସମ୍ପର୍କିତ କାରଣ ଦର୍ଶାଇ ଦିଲ୍ଲୀ ପୁଲିସ ପ୍ରଥମେ ଅନୁମତି ଦେଇନଥିଲା। ପରେ ଆୟୋଜକ ବୁକ୍ମାଇଶୋ ଲାଇଭ୍ ସୁରକ୍ଷା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଯୋଜନା ଦାଖଲ କରିବା ପରେ ଅନୁମତି ମିଳିଥିଲା। ଦିଲଜିତ୍ କହିଛନ୍ତି, ସେ ଡିସେମ୍ବର ୨୦ ପର୍ଯ୍ୟନ୍ତ ଭାରତରେ ରହି ଟୁର୍ର ସମସ୍ତ ବାକି କାର୍ଯ୍ୟକ୍ରମ କରିବେ।
