Latest Odisha News

BREAKING NEWS

ଭାରତୀୟ ରାଷ୍ଟ୍ର୍ରଦୂତ ଅଜୟ ବିସାରିଆଙ୍କୁ ବହିଷ୍କାର କଲା ପାକିସ୍ତାନ

ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗ ନେଇ ପାକିସ୍ତାନ ଭାରତ ଉପରେ ପ୍ରତିଶୋଧାତ୍ମକ ପନ୍ଥା ଅବଲମ୍ବନ କରୁଛି । ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ ।

ପାକିସ୍ତାନ ବୁଧବାର ଦିନ ଭାରତୀୟ ଦୂତ ଅଜୟ ବିସାରିଆଙ୍କୁ ବହିଷ୍କୃତ କରିଛି, ଏଥିସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ଫେରାଇ ନେଇଯିବାକୁ ନିର୍ଦ୍ଦେଶ ଦେଇଛି ।

ଭାରତ ଏବେ ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ ଲାଗି ସମସ୍ତ ପ୍ରକ୍ରିୟା ସମାପ୍ତ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପଡ଼ୋଶୀ ଭାରତ ସହିତ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି । ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯିବାକୁ ପାକିସ୍ତାନ ବିରୋଧ କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସହିତ ସମସ୍ତ ପ୍ରକାର ସମ୍ପର୍କ ନେଇ ପୁନର୍ବିଚାର କରିବାକୁ ପାକିସ୍ତାନ ଚେଷ୍ଟା କରୁଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଇସଲାମାବାଦଠାରେ ‘ନ୍ୟାସନାଲ୍ ସିକ୍ୟୁରିଟି କମିଟି’ ବୈଠକରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସୂତ୍ରରୁ ଜଣାପଡ଼ିଛି, ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତୀୟ ସ୍ୱାଧୀନତା ଦିବସକୁ ପାକିସ୍ତାନ କଳା ଦିବସ ରୂପେ ପାଳନ କରୁଥିବା ବେଳେ ଅଗଷ୍ଟ ୧୪ ତାରିଖରେ ପାକିସ୍ତାନର ସ୍ୱାଧୀନତା ଦିବସ କାଶ୍ମୀରବାସୀଙ୍କୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ ।

Leave A Reply

Your email address will not be published.