Latest Odisha News

BREAKING NEWS

ମାଟ୍ରିକ ପରୀକ୍ଷା ବେଳେ ବିଜୁଳି କାଟ: ଟିପିସିଓଡିଏଲ ଏବଂ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଚାଲିଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଘୋଷିତ ଓ ଅନିୟମିତ ବିଜୁଳି କାଟ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ବାହାନାରେ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମାଟ୍ରିକ୍ ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ୍ କରାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ରହିଛି।

ପୁରୀ, ବାଲେଶ୍ୱର, ସମ୍ବଲପୁର ଆଦି ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି। ଲୋକେ କହିଛନ୍ତି, ଟିପିସିଓଡିଏଲ କର୍ତ୍ତୃପକ୍ଷ ବିଜୁଳି କାଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି। କିଛି ଲୋକ ବିଲ୍ ପୈଠ କରିନଥିବା ବେଳେ ସମସ୍ତେ କିନ୍ତୁ ଟିପିସିଓଡିଏଲର କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି। ରାତି ହେଲେ ବିଦ୍ୟୁତ୍ ସେବା ବ୍ୟାହତ ହେଉଥିବାରୁ ମାଟ୍ରିକ୍ ପରୀକ୍ଷାର୍ଥୀ ଅନ୍ଧାର ଭିତରେ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତି କରୁଛନ୍ତି।

ଶୁକ୍ରବାର ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ଦଳର ନେତାମାନେ। ସେମାନେ ଅଭିଯୋଗ କରିଛନ୍ତି ଯେ ଟିପିସିଓଡିଏଲ ବେଆଇନ ଭାବେ ବିଦ୍ୟୁତ୍ ବିଲ୍ ଆଦାୟ କରିବା ସହ ବିଦ୍ୟୁତ୍ କାଟ କରି ଗ୍ରାହକଙ୍କୁ ଶୋଷଣ କରୁଛି। କମ୍ପାନୀ ଗ୍ରାହକମାନଙ୍କୁ ଠକୁଛି ଏବଂ ଏହି ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା ଉଲ୍ଲଙ୍ଘନ କରୁଛି।

ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଗୁଣ୍ଡାଗିରି କରି ଗରିବ ଲୋକଙ୍କୁ ବକେୟା ଅର୍ଥ ବାହାନାରେ ବେଆଇନ ଭାବେ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ବାଧ୍ୟ କରୁଛନ୍ତି ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେପି ନେତ୍ରୀ ଅନ୍ନପୂର୍ଣ୍ଣା ବାରିକ କହିଛନ୍ତି। ତେବେ ଟିପିସିଓଡିଏଲ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଖଣ୍ଡନ କରିଛନ୍ତି।

ଆମ ଉପରେ ୭ ହଜାର ୮୮୬ କୋଟି ଟଙ୍କାର ବକେୟା ରହିଛି ଏବଂ ଯଦି ଏହା ପୈଠ କରାଯିବ ନାହିଁ, ତେବେ ଜନସାଧାରଣଙ୍କୁ ପୁଣି ଟିକସ ଆକାରରେ ଏହାକୁ ପୈଠ କରିବାକୁ ପଡ଼ିବ। ଟିପିସିଓଡିଏଲ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନୀତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଯେଉଁ ଅଭିଯୋଗ ଆସିଛି ତାହା ମିଥ୍ୟା ଓ ଭିତ୍ତିହୀନ ବୋଲି ପ୍ରତାପ ଦେବ କହିଛନ୍ତି।

Leave A Reply

Your email address will not be published.