ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀରେ ଗର୍ଜିଲା ପୁଲିସର ବନ୍ଧୁକ। କୁଖ୍ଯାତ ଅପରାଧୀ ତଥା କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ଜିତେନ୍ଦ୍ର ପଲେଇ ଓରଫ ଜିତୁକୁ ଏନକାଉଣ୍ଟର କରିଛି ପୋଲିସ। ଖାରବେଳ ନଗର ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଜିତୁ ଗୁଳି ଚଳାଇବାରୁ ପୋଲିସ ତା’ଉପରକୁ ପାଲଟା ଗୁଳି ଚଳାଇଥିବା ସୂଚନା ରହିଛି। ନିକଟରେ ରାଜଧାନୀ ଉପକଣ୍ଠ ୟୁନିଟ ୪ ରେ ରାତି ୧୧ଟା ବେଳେ ଗହଣା ଦୋକାନ ଉପରେ ହୋଇଥିବା ବୋମା ମାଡ଼ରେ ଜିତୁ ଅଭିଯୁକ୍ତ ବୋଲି ଜଣାପଡିଛି। ସୁପାରୀ ନେଇ ସେ ଏପରି କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଅପରାଧୀ ଜିତୁ ଆଜି କାରରେ ଭୁବନେଶ୍ବର ଆସିବ ବୋଲି ପୋଲିସ କାନରେ ଖବର ବାଜିଥିଲା। ଆଉ ଯୋଜନା ମୁତାବକ ଧରିବାକୁ ପୋଲିସ ମଧ୍ୟ ସୁଚିନ୍ତିତ ଜାଲ ବିଛାଇଥିଲା। ଆଉ ଟଙ୍କପାଣିରୋଡରେ ଜିତୁର କାରକୁ ପୋଲିସ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଉପରକୁ ଜିତୁ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲା। ଆଉ ଜବାବରେ ବାଙ୍କୁଆଲ ନଦୀଘାଟ ନିକଟରେ ପୋଲିସ ଏନକାଉଣ୍ଟର କରିଥିଲା। ନିଜକୁ ଏବଂ ନିଜ ଟିମକୁ ସୁରକ୍ଷା ଦେବାକୁ ଯାଇ ଆଇଆଇସି ରଜନୀକାନ୍ତ ମିଶ୍ର ପାଲଟା ଗୁଳି ଚଳାଇଥିଲେ ଜିତୁ ଉପରକୁ। ମିଳିଥିବା ସୂଚନା ଅନୁସାରେ ଏନକାଉଣ୍ଟର ସମୟ ରାତି ୧: ୩୦ ବୋଲି ଜଣାପଡ଼ିଛି।
ଜିତୁର ଗୋଡରେ ଗୁଳି ବାଜିବାରୁ ସେ ଆଉ କେଉଁଆଡ଼େ ଯାଇପାରିନଥିଲା। ପରେ ପୋଲିସ ଗିରଫ କରିବା ସହିତ କ୍ୟାପିଟାଲ ହସ୍ପିଟାଲରେ ତାର ଚିକିତ୍ସା କରାଇଛି।
ଉଲ୍ଲେଖଯୋଗ୍ୟ ଯେ ଜିତୁ ନାଁରେ ରାଜଧାନୀ ସମେତ ବିଭିନ୍ନ ଥାନାରେ ଅନେକ ଅପରାଧଜନିତ ମାମଲା ରହିଛି। ହତ୍ୟା,ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଂ ଭଳି ସାଙ୍ଘାତିକ ମାମଲା ରହିଛି ଏହି ଅଭିଯୁକ୍ତର ନାଁରେ।
Comments are closed.