Latest Odisha News

ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଭାରତ ଗୋଟିଏ ଦେଶ। ଏଠି ସମସ୍ତଙ୍କ ପାଇଁ ଆଇନ କାନୁନ ସମାନ ହୋଇଥିବା ବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ। ପୂର୍ବତନ କଂଗ୍ରେସ ସଭାପତି ତଥା ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ମାନହାନୀ ମାମଲାରେ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ଏପରି କହିଛନ୍ତି।

ପ୍ରମୋଦ ତିୱାରୀ କହିଛନ୍ତି ଯେ ଘୋଟାଲା କରିବା ପରେ ଗୌତମ ଆଦାନୀ ଖୋଲାଖୋଲି ଭାବରେ ବୁଲୁଛନ୍ତି, ଯେଉଁମାନେ ଏହି ସ୍କାମରେ ସାହାଯ୍ୟ କରିଛନ୍ତି ସେମାନେ ମଧ୍ୟ ଖୋଲାଖୋଲି ଭାବରେ ବୁଲୁଛନ୍ତି, କିନ୍ତୁ ଯଦି କେହି ଉଭୟଙ୍କ ବିରୋଧରେ କଥା ହୋଇଛନ୍ତି ତେବେ ତାଙ୍କୁ ଜେଲ ପଠାଯାଉଛି। ଏଥି ସହ ପ୍ରମୋଦ ତିୱାରୀ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ। ତିୱାରୀଙ୍କ ଏହି ପ୍ରତିକ୍ରିୟା ପରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ସୁରଟର ଏକ କୋର୍ଟଙ୍କ ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି। ଏହା ପରେ କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି। ଏହି ବିବୃତ୍ତି ପରେ କଂଗ୍ରେସ ସାଂସଦଙ୍କୁ ଟ୍ରୋଲ କରାଯାଉଛି ଏବଂ ତାଙ୍କ ବିବୃତ୍ତିକୁ ଏକ ଅଜବ ବିବୃତ୍ତି କୁହାଯାଉଛି।

ଯଦି ରାହୁଲ ଗାନ୍ଧୀଙ୍କୁ ସୁରଟ ଜିଲ୍ଲା କୋର୍ଟ ଦ୍ୱାରା କମ୍ ଦଣ୍ଡ ଦିଆଯାଇଥାନ୍ତା, ତେବେ ସେ ତାଙ୍କର ଲୋକସଭା ସଦସ୍ୟତା ହରାଇ ନଥାନ୍ତେ। ଏଥି ସହ ପ୍ରମୋଦ ତିୱାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ରାୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଉପରେ ଏହି ରାୟ ଶୁଣାଇବା ପୂର୍ବରୁ ତାଙ୍କ ପରିବାରକୁ ମଧ୍ୟ ଦେଖିବା ଉଚିତ ଥିଲା।

ଯଦି ରାହୁଲ ଗାନ୍ଧୀଙ୍କ ପରିବାର ଏବଂ ତାଙ୍କ ପୃଷ୍ଠଭୂମି ଉପରେ ବିଚାର କରି କୋର୍ଟ ଏହାର ରାୟ ଦେଇଥାନ୍ତେ, ତେବେ ତାଙ୍କୁ ୨ ବର୍ଷରୁ କମ୍ ଦଣ୍ଡିତ କରାଯାଇଥାନ୍ତା ଏବଂ ତାଙ୍କର ପଦ ଯାଇନଥାନ୍ତା। ଏହି କାରଣରୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାର ପାଇଁ ଅଲଗା ନିୟମ ରହିବା ଉଚିତ୍।

Comments are closed.