ଭୁବନେଶ୍ୱର: ଜୟ ଜଗନ୍ନାଥ। ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ମୁହଁରେ ଏହି ଧ୍ୱନି ଶୋଭା ପାଏ। ସମ୍ବୋଧନ ସମ୍ଭାଷଣଠୁ ଆରମ୍ଭ କରି କୌଣସି ସଭାସମିତିର ଶୁଭାରମ୍ଭ ହେଉ କି ଶେଷ ବହୁ ଜାଗାରେ ଲୋକେ ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ କରନ୍ତି। ତେଣୁ ପ୍ରତେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଜୟ ଜଗନ୍ନାଥ ଅତି ପ୍ରିୟ।
ଏହା ବିଜେଡି ପାଇଁ ମଧ୍ୟ ଏବେ ଅତ୍ୟନ୍ତ ପ୍ରିୟ ଧ୍ୱନି ହୋଇଛି। କୋଟି ହୃଦୟର ଦେବତା ଓଡ଼ିଆଙ୍କ ପ୍ରାଣ ଓ ଚଳଣି ସବୁକିଛି ହେଉଛନ୍ତି ଜଗନ୍ନାଥ। ତେଣୁ ଓଡ଼ିଆଙ୍କର ଅତି ପ୍ରିୟ ଧ୍ୱନି ହେଉଛି ଜୟ ଜଗନ୍ନାଥ।
ଏହି ଧ୍ୱନିକୁ ଏବେ ବିଜେଡି ନେତାମାନେ ଉଚ୍ଚାରଣ କରୁଛନ୍ତି। ଓଡ଼ିଆ କିମ୍ବା ଜଗନ୍ନାଥ ପ୍ରେମୀ ଭାବେ ଏହା ଉଚ୍ଚାରଣ କରିବା କିଛି ନୂଆ କଥା ନୁହେଁ। କିନ୍ତୁ ବିଜେଡି ନେତା, ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ କାର୍ଯ୍ୟକର୍ତା ମାନେ ସାମୁହିକ ଭାବେ ଜୟ ଜଗନ୍ନାଥ ଉଚ୍ଚାରଣ କରିବା ରାଜନୈତିକ ସ୍ତରରେ ଚର୍ଚ୍ଚାର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।
ପଛରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ଓ ଆଗରେ ବିଜେଡି ନେତାମାନଙ୍କ ଜୟ ଜଗନ୍ନାଥ ଉଚ୍ଚାରଣ ଚର୍ଚ୍ଚାକୁ ରୋଚକ କରିଛି। ଏପରିକି ମିଳିତ ଭାବେ ଉଚ୍ଚାରଣ କରି ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡିବାର ଉଦେଶ୍ୟ କଣ ବୋଲି ଆଲୋଚନା ହେଉଛି। କିଛି ଦିନ ତଳେ ବିଜେଡି ପକ୍ଷରୁ ଶଙ୍ଖ ମୋର ଗର୍ବ ନାଁ ରେ ଏକ ସ୍ଲୋଗାନ ବ୍ୟାପକ ଭାବେ ଚାଲିଥିଲା।
ବିଜେଡି ନେତାମାନେ ଶଙ୍ଖ ମୋର ଗର୍ବ କହି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜନୈତିକ ଓ ସାଧାରଣ ସ୍ତରରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଶଙ୍ଖ ବିଜେଡିର ଚିହ୍ନ ହୋଇଥିବା ବେଳେ ଜଗନ୍ନାଥଙ୍କ ହାତରେ ବି ଶଙ୍ଖ ଶୋଭାପାଏ। ତେଣୁ ଶଙ୍ଖ ମୋର ଗର୍ବ ପରେ ବିଜେଡି ଜୟ ଜଗନ୍ନାଥ ଉଚ୍ଚାରଣ କରିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ଓଡ଼ିଆଙ୍କ ସମେତ ଜଗନ୍ନାଥ ପ୍ରେମୀ ମଧ୍ୟ ଜଗନ୍ନାଥଙ୍କ ଉଚ୍ଚାରଣ ମାତ୍ରକେ ଭାବବିହ୍ଵଳ ହୁଅନ୍ତି। ତେଣୁ ଲୋକଙ୍କ ଭାବାବେଗକୁ ଦେଖି ବିଜେଡି ଏଭଳି ପନ୍ଥା ଆପଣାଇଛି କି ବୋଲି ଚର୍ଚ୍ଚା ହେଉଛି। ଆଗକୁ ନିର୍ବାଚନ ଥିବାରୁ ଲୋକଙ୍କ ଭାବାବେଗ ସହ ଜଡିତ ଜୟ ଜଗନ୍ନାଥ ଧ୍ୱନି ଦେଇ ଏବେ ଚର୍ଚ୍ଚାରେ ବିଜେଡି।
ପୂର୍ବରୁ ଘରେ ଘରେ ଶଙ୍ଖ, ନବୀନ ମୋ ପରିବାର ଶଙ୍ଖ ମୋ ଚିହ୍ନ ଏମିତି ଅନେକ ସ୍ଲୋଗାନ ଦେଇ ସଫଳତା ପାଇଥିବା ବିଜେଡି ଏବେ କିନ୍ତୁ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜୟ ଜଗନ୍ନାଥ ଉଚ୍ଚାରଣ କରି ଲୋକଙ୍କ ହୃଦୟକୁ ସିଧା ଜିତିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କିମ୍ବା ରାଜ୍ୟର ବହୁ ଦେବାଦେବୀଙ୍କ ପୀଠର ଉନ୍ନତିକରଣକୁ ନେଇ ବିଜେଡି ଚର୍ଚ୍ଚାରେ ରହିଥିଲା। ଧର୍ମକୁ ନେଇ ରାଜନୀତିର କଥା ମଧ୍ୟ ଉଠିଥିଲା। ଏବେ ବିଜେଡିର ଜୟ ଜଗନ୍ନାଥ ଏହି ଚର୍ଚ୍ଚାକୁ ଆହୁରି ବ୍ୟାପକ କରିଛି।