Latest Odisha News

BREAKING NEWS

ସୋଆରେ ଜି-୨୦ ପ୍ରେସିଡେନ୍ସି ପାଳନ ନେଇ ସଭା ଆୟୋଜିତ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥି ନିମନ୍ତେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ଉତ୍କଳ ଦିବସ ଅବସରରେ ଏକ ସଭା ଆୟୋଜିତ ହୋଇଯାଇଛି ।

ଆସନ୍ତା ଏପ୍ରିଲ୍ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧି ମାନେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ଜନ ଭାଗିଦାରୀ’ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଓଡ଼ିଶାର ୩୦ ଟି ଜିଲ୍ଲାରେ କୁଇଜ, ପ୍ରବନ୍ଧ, ବକ୍ତୃତା, ଆଲୋଚନା ଚକ୍ର ଓ ୱେବିନାର, ବିଭିନ୍ନ କ୍ରୀଡା କାର୍ଯ୍ୟକ୍ରମ, ମକ୍ ଜି-୨୦, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଖାଦ୍ୟ ଉତ୍ସବ ଓ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଇତ୍ୟାଦିର ଆୟୋଜନ କରାଯିବ । ସୋଆକୁ ଏଥି ନିମନ୍ତେ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଛି । ବଲାଙ୍ଗୀର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ସ୍କୁଲ୍‌, ଆଇଟିଆଇ, ପଲିଟେକ୍ନିକ୍‌, ଇଞ୍ଜିନିୟରିଂ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ଜନ ଶିକ୍ଷଣ ସଂସ୍ଥାନର ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗ ଦେବେ ।

ଏହି ଅବସରରେ ଆୟୋଜିତ ଏକ ବୈଠକରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନିଜ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ନେଇ ଆନନ୍ଦ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଉତ୍କଳ ଦିବସ ଅବସରରେ ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟର ସମସ୍ତ ଫ୍ୟାକଲ୍ଟି ମେମ୍ବର, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତମ ଶିକ୍ଷା ଓ ଅଭିନବ ଗବେଷଣାକୁ ନେଇ ପ୍ରତିଷ୍ଠିତ ସୋଆ ଜାତୀୟ ସ୍ତରରେ ଆହୁରି ସୁନାମ ଅର୍ଜନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ବଜାୟ ରଖିବା ସହ ଇନ୍‌ଟର ଡିସିପ୍ଲିନାରୀ ଓ କ୍ରସ୍ ଡିସିପ୍ଲିନାରୀ ଗବେଷଣାକୁ ଅଧିକ ପ୍ରାଧାନ୍ୟ ଦେବାକୁ ନୂତନ ଭାବେ ସୋଆର କୁଳପତି ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଜନ ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.