Latest Odisha News

ଖାଲିପେଟରେ ଚା’ ପିଇବାକୁ କାହିଁକି ମନା କରନ୍ତି ଡାକ୍ତର?

ଭୁବନେଶ୍ୱର: ଅନେକ ଲୋକଙ୍କର ବେଡ଼୍ ଡି ପିଇବାର ଅଭ୍ୟାସ ରହିଛି। ଅର୍ଥାତ୍ ନିଦରୁ ଉଠିବା ମାତ୍ରରେ ଚା’ ପିଅନ୍ତି। ହେଲେ ଡାକ୍ତର କିନ୍ତୁ ଏପରି କରିବାକୁ ବାରଣ କରନ୍ତି। କାରଣ ଚିକିତ୍ସା ବିଜ୍ଞାନରେ ଖାଲିପେଟରେ ଚା’ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ସକାଳୁ ଉଠି ଖାଲି ପେଟରେ ଚା’ ପିଇଲେ ଏହାର ସିଧା ପ୍ରଭାବ ପାଚନ ପ୍ରକ୍ରିୟା ଉପରେ ପଡ଼ିଥାଏ। ଏଥିରେ ପେଟ ଖରାପ ହେବା ଆଶଙ୍କା ରହିଥାଏ।

ଆସନ୍ତୁ ଜାଣିବା ଖାଲିପେଟରେ ଚା’ ପିଇବାକୁ କାହିଁକି ମନା କରନ୍ତି ଡାକ୍ତର

ଚିକିତ୍ସା ବିଜ୍ଞାନ ସମ୍ପର୍କରେ ନୂଆ ନୂଆ ରିପୋର୍ଟ ପ୍ରକାଶ କରି ଲୋକଙ୍କୁ ସଚେତନ କରାଉଥିବା ଆମେରିକୀୟ ସ୍ୱାସ୍ଥ୍ୟ ୱେବ୍‌ସାଇଟ୍‌ ହେଲଥଲାଇନ୍‌ର ରିପୋର୍ଟ ଅନୁସାରେ ଅଧିକ ଚା’ କିମ୍ବା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚା’ ପିଇବା ଦ୍ୱାରା ନିଦ୍ରାହୀନତା ଭଳି ସମସ୍ୟା ଦେଖା ଦେଇଥାଏ। ତା ସହିତ ଚିଡ଼ିଚିଡ଼ାପଣ ଓ କ୍ଲାନ୍ତ ଅନୁଭବ ହୋଇଥାଏ।

ସେହିଭଳ ଯଦି ଆପଣ ପ୍ରତିଦିନ ଖାଲି ପେଟରେ ଚା’ କିମ୍ବା କଫି ପିଉଛନ୍ତି ତେବେ ଏଥିରେ ହାଡ଼ ଓ ଆଣ୍ଠୁଗଣ୍ଠି ଦୁର୍ବଳ ହୋଇଯାଏ ବୋଲି ୱେବ୍‌ସାଇଟ୍‌ରେ ରିପୋର୍ଟ ପ୍ରକାଶ ପାଇଛି।

କେବଳ ସେତିକି ନୁହେଁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଏସିଡିଟି ବି ହୋଇଥାଏ। ଯଦି ଆପଣ ଖାଲି ପେଟରେ ଚା’ ପିଇଥିବେ ତେବେ କେବେ ନା କେବେ ଏସିଡିଟିର ଶିକାର ନିହାତି ହୋଇଥିବେ। ଏସିଡିଟି ହେବା ଦ୍ୱାରା ଭୋକ ନ ଲାଗିବା ସହ ପେଟରେ ଯନ୍ତ୍ରଣା ଅନୁଭୁତ ହୋଇଥାଏ। ଏଥିପାଇଁ ସକାଳେ ଖାଲିପେଟରେ ଚା’ ପିଇବାକୁ ଡାକ୍ତର ମନା କରିଥାନ୍ତି।

ଖାଲି ପେଟରେ ଚା’ ପିଇବାର ଆଉ କିଛି କୁପ୍ରଭାବ…

ଯଦି ଆପଣ ପ୍ରତିଦିନ ଖାଲି ପେଟରେ ଚା’ ପିଉଛନ୍ତି ତେବେ ଏଥିରେ ଆପଣଙ୍କ ଶରୀରରେ ପୋଷକ ତତ୍ୱର ହ୍ରାସ ହେବା ସହ ଭୋକ କମ୍‌ ହୋଇଥାଏ। ଫଳରେ ଶରୀର କ୍ଷୀଣ ହୋଇଥାଏ। ଏଥିସହିତ ଖାଲିପେଟରେ ଚା’ ପିଇବା ଦ୍ୱାରା ଏହା ଆପଣଙ୍କର ଦାନ୍ତକୁ କ୍ଷତି ପହଞ୍ଚାଇଥାଏ। ଦାନ୍ତର ଏନାମେଲ୍ ଖରାପ ହୋଇଯାଏ। ଫଳରେ ଦାନ୍ତମାଢ଼ିରେ ଫୁଲା ଓ ବଥା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖାଲିପେଟରେ ଚା’ ପିଇବାରୁ ଦୂରେଇ ରୁହନ୍ତୁ। ସୁସ୍ଥ ଜୀବନ ବଞ୍ଚନ୍ତୁ। କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ।

Comments are closed.