Latest Odisha News

ସୁରଟ କୋର୍ଟ ନିଷ୍ପତ୍ତି ବିରୋଧରେ ରାହୁଲଙ୍କ ନ୍ୟାୟିକ ଲଢେଇ ଆଜିଠୁ; ସାଥ୍ ଦେଲେ ଭଉଣୀ ପ୍ରିୟଙ୍କା

ସୁରଟ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି ସୁରଟ କୋର୍ଟ ଦେଇଥିବା ରାୟକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିବେ ରାହୁଲ । ୧୧ ଦିନ ପରେ ଏହି ନ୍ୟାୟିକ ଲଢେଇ ପାଇଁ ଆଜି ରାହୁଲ ସୁରଟରେ ପହଞ୍ଚିଛନ୍ତି । ସେ କୋର୍ଟରେ ବେଲ ପାଇଁ ମଧ୍ୟ ଆବେଦନ କରିବେ । ସୁରଟ ଯିବା ପୂର୍ବରୁ କଂଗ୍ରେସ ନେତା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ପ୍ରିୟଙ୍କା ମଧ୍ୟ ରାହୁଲଙ୍କ ସହ ସୁରଟ ଯିବେ । ରାହୁଲ ସୁରଟ ଯିବା ପୂର୍ବରୁ ତାଙ୍କ ମା’ ସୋନିଆ ଗାନ୍ଧି ମଧ୍ୟ୍ ରାହୁଲଙ୍କର ବାସଭବନରେ ପହଞ୍ଚିଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ରାଜସ୍ଥାନର ଅଶୋକ ଗେହଲଟ. ଛତିଶଗଡର ଭୁପେଶ ବଘେଲ, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ରାହୁଲଙ୍କ ସହ କୋର୍ଟ ଯିବାର କାର୍ଯକ୍ରମ ରହିଛି । ନିଉଜ ଏଜେନ୍ସି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ରାହୁଲ ସୁରଟ କୋର୍ଟ ଦେଇଥିବା ରାୟ ବିରୋଧରେ ଆବେଦନ କରିବା ପରେ ଆଜି ସେସନ କୋର୍ଟରେ ଶୁଣାଣି ହୋଇପାରେ ।  

ସୁରଟରେ ଆଜି ଶକ୍ତି ପ୍ରଦର୍ଶନ କରିବ କଂଗ୍ରସେ । ରାସ୍ତା ସାରା ହୋଡିଂରେ ଛାଇ ଯାଇଛି ସାରା ସହର । ରାହୁଲ, ସୋନିଆ ଏବଂ ପ୍ରିୟଙ୍କାଙ୍କର ବଡ ବଡ ହୋଡିଂ ଦେଖିବାକୁ ମିଳିଛି ।

ସୂଚନାଥାଉ କି,  ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି ବୋଲି ରାହୁଲଙ୍କ ଏକ ବୟାନ ଦେଇ ତାଙ୍କ ସାଂସଦ ପଦ ହରାଇଛନ୍ତି। ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ ପରେ ରାହୁଲଙ୍କ ଲିଗାଲ୍ ଟିମ୍ ମାର୍ଚ୍ଚ ୩ ସୋମବାର କୋର୍ଟ ଯିବେ ବୋଲି ଗତକାଲି ସୂଚନା ଦେଇଥିଲେ ।

ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରିଥିଲେ । ହେଲେ କିଛି ସମୟ ପରେ କୋର୍ଟ ରାହୁଲଙ୍କୁ ଜାମିନ୍ ଦେବା ସହ ଦଣ୍ଡାଦେଶକୁ ୩୦ ଦିନ ଯାଏ ସ୍ଥଗିତ ରଖିଥିଲେ । ଅର୍ଥାତ୍ ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ଏବଂ ସେ ରାୟକୁ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ ।

 

Comments are closed.