ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଷ୍ଟାର୍ କିଚ୍ଚା ସୁଦୀପଙ୍କର ଫିଲ୍ମ ବ୍ୟାନ୍ କରିବାକୁ ନିର୍ବାଚନ କମିଶନଙ୍କର ଦ୍ୱାରସ୍ଥ ହେଲେ ଶିବମୋଗର ଜଣେ ଓକିଲ। କିଚ୍ଚା ସୁଦୀପ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ। ଏହି ସମୟରେ ତାଙ୍କର ଫିଲ୍ମ ଓ ଶୋ ଭୋଟରଙ୍କ ଉପରେ ପ୍ରଭାବ ପକାଇବ। ତେଣୁ ତାଙ୍କ ଫିଲ୍ମ ଓ ଶୋ’କୁ ବ୍ୟାନ୍ କରିବାକୁ ଓକିଲ କେପି ଶ୍ରୀପାଲ ନିର୍ବାଚନ କମିଶନଙ୍କୁ ଲିଖିତ ଆକାରର ଜଣାଇଛନ୍ତି। ଭୋଟ ଶେଷ ତାରିଖ ମେ ୧୩ ପର୍ଯ୍ୟନ୍ତ ତାଙ୍କର ଫିଲ୍ମ ବ୍ୟାନ୍ କରାଯାଉ ବୋଲି ସେ ଦାବି କରିଛନ୍ତି।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଦର୍ଶାଇ ଶ୍ରୀପାଲ କହିଛନ୍ତି ଯେ ସୁଦୀପଙ୍କର ମୁଭି ଓ ଶୋ ସିଧାସଳଖ ଭୋଟରଙ୍କୁ ପ୍ରଭାବିତ କରିବ। ଯାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବ। ତେଣୁ ଭୋଟ ଶେଷ ପର୍ଯ୍ୟନ୍ତ ଏହାକୁ ବ୍ୟାନ୍ କରାଯାଉ ବୋଲି ସେ ଦାବି କରିଛନ୍ତି। ସେପଟେ ବିଜେପି ଏଥର ବି କ୍ଷମତା ହାତେଇବାକୁ ଚେଷ୍ଟା କରୁଛି। ତେଣୁ ରାଜନୈତିକ ବ୍ୟକ୍ତିତ୍ୱ ସହ ଫିଲ୍ମ ଷ୍ଟାର୍ମାନଙ୍କର ବି ସହାୟତା ନେଇଛି ଦଳ।
ଏଥିପାଇଁ ଦଳ ଏକାଧିକ କନଡ଼ ଫିଲ୍ମ ଷ୍ଟାର୍ଙ୍କୁ ନିର୍ବାଚନ ପ୍ରଚାର କରିବା ପାଇଁ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ତନ୍ମଧ୍ୟରୁ କିଚ୍ଚା ସୁଦୀପ ଜଣେ। ସୁଦୀପଙ୍କର ଏହା ପ୍ରଥମ ନିର୍ବାଚନୀ ପ୍ରଚାର। ସେ ବିଜେପି ପାଇଁ ରାଜ୍ୟ ସାରା ବୁଲି ପ୍ରଚାର କରିବେ। ବିଶେଷ କରି କଲ୍ୟାଣା ଅଞ୍ଚଳରେ ଅଧିକ ପ୍ରଚାର କରାଯିବ। ସୂଚନା ଥାଉକି ମେ ୧୦ ତାରିଖରେ କର୍ଣ୍ଣାଟକ ନିର୍ବାଚନ ହେବ। ଆଉ ୧୩ ତାରିଖରେ ଭୋଟ ଗଣତି ହେବ।
Comments are closed.