Latest Odisha News

BREAKING NEWS

ଏସସିବି ମେଡିକାଲରେ ମାନସିକ ରୋଗୀଙ୍କ ମୃତ୍ୟୁ ଘଟଣା: ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ଗିରଫ

କଟକ: ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି‌। ମୃତ ରୋଗୀଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ। ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏହି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ପ୍ଲାଷ୍ଟିକ ପାଇପ୍ ସାହାଯ୍ୟରେ ବହୁତ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା। ମୃତଦେହ ଉପରେ ଅନେକ କ୍ଷତ ଓ ମାଡ଼ର ଦାଗ ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରେ ପରିବାର ପକ୍ଷରୁ କଟକର ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଅନ୍ୟପଟେ ଶ୍ରୀକାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏକ ସାଂଘାତିକ ସତ୍ୟ ପ୍ରକାଶ ପାଇଛି। ତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଆଘାତ ଲାଗିଥିବା ଏବଂ ମାଡ଼ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା କଥା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଏହି ଘଟଣାରେ ପୋଲିସ ମେଡିକାଲ୍ କର୍ମଚାରୀ ଓ ସେଠାରେ ଉପସ୍ଥିତ ପ୍ରାୟ ୧୨ ଜଣଙ୍କ ବୟାନ ରେକର୍ଡ କରିଥିଲା। କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ମାନସିକ ରୋଗ ବିଭାଗରେ କାର୍ଯ୍ୟରତ ଜଣେ ଆଟେଣ୍ଡାଣ୍ଟ ଏବଂ ଜଣେ ସୁରକ୍ଷାକର୍ମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରୋଗୀ ସୁରକ୍ଷିତ ରହିବା ସ୍ଥାନରେ ଏଭଳି ଅମାନୁଷିକ ମାଡ଼ ଏବଂ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.