ନୂଆଦିଲ୍ଲୀ: ବିଜେପିର ୪୪ ତମ ପ୍ରତିଷ୍ଠା ଦିବସରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସମୁଦ୍ର ସଂଖ୍ୟକ ସମସ୍ୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି । ହନୁମାନଙ୍କୁ ସ୍ମରଣ କରି ମୋଦି କହିଥିଲେ ହନୁମାନ ହେଉଛନ୍ତି ଆମର ପ୍ରେରଣା । ହନୁମାନ ଅନ୍ୟପାଇଁ ସବୁକିଛି କରିପାରିବେ । ହେଲେ ନିଜ ପାଇଁ କିଛି କରୁ ନ ଥିଲେ । ସାରା ଦେଶରେ ଲୋକେ ହନୁମାନ ଜୟନ୍ତୀ ମନାଉଛନ୍ତି । ଏହି ହନୁମାନ ହେଉଛନ୍ତି ଭାରତର ବିକାଶ ଯାତ୍ରାର ପ୍ରେରଣା । ତାଙ୍କ ପାଖରେ ଆବଶ୍ୟକସ୍ଥଳେ କଠୋର ହେବାର ଗୁଣ ବି ରହିଛି ।
ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ କହିଲେ, ବିଜେପି ଗୋଟିଏ ମନ୍ତ୍ର ନେଇ କାମ କରୁଛି । ତାହା ହେଉଛି ସମସ୍ତଙ୍କ ସହ ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କ ପ୍ରୟାସ । ସାମାଜିକ ନ୍ୟାୟ ବିଜେପି ପାଇଁ ରାଜନୈତିକ ନାରା ନୁହେଁ । ବରଂ ଏହା ଆମର ବିଶ୍ୱାସ ।
ମୋଦି କହିଥିଲେ, ବିଜେପି ଲୋକତନ୍ତ୍ରରେ ବିଶ୍ୱାସ କରେ । ବିଜେପି ଲୋକତନ୍ତ୍ରରୁ ସୃଷ୍ଟି । ଲୋକତନ୍ତ୍ରର ଅମୃତ ପାନ କରି ପ୍ରତିପାଳିତ ଏହି ଦଳ ଲୋକତନ୍ତ୍ର ଏବଂ ସମ୍ବିଧାନକୁ ମଜବୁତ କରିବା ଉଦ୍ଦେଶ୍ୟରେ ପୂର୍ଣ୍ଣ ସମର୍ପଣ ଭାବ ନେଇ କାମ କରୁଛି । ବିନା ଭେଦଭାବରେ ୪୫ କୋଟି ଲୋକଙ୍କର ଜନଧନ ଖାତା ଖୋଲିବା ଏହାର ଏକ ଉଦାହରଣ । ୧୧ କୋଟି ଲୋକଙ୍କୁ ଶୌଚାଳୟ ମିଳିବା ସାମାଜିକ ନ୍ୟାୟ । ବିନା ତୁଷ୍ଟିକରଣ ଏବଂ ବିନା ଭେଦଭାବରେ ଏସବୁ ସୁବିଧା ଉପଲବ୍ଧ ହେବା ହିଁ ସାମାଜିକ ନ୍ୟାୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Comments are closed.