ଆମେରିକା: ଆମରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରୁଷର ତୈଳ ବିସୋଧନାଗାରରେ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିବାରୁ ଟ୍ରମ୍ପ ଏହାକୁ ବିରୋଧ କରିଛନ୍ତି ଏବଂ ୟୁକ୍ରେନରେ ଜଣେ ‘ନୂତନ ରାଷ୍ଟ୍ରପତି’ ଆସିବାର ସମୟ ଆସିଯାଇଛି ବୋଲି ସେ ମତ ଦେଇଛନ୍ତି।
ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଯେ ଜେଲେନସ୍କି ତାଙ୍କ ଚେତାବନୀକୁ ଅଣଦେଖା କରି ରୁଷର ରିଫାଇନାରୀଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ଆକ୍ରମଣଗୁଡ଼ିକ ଯୋଗୁଁ ବିଶ୍ୱବଜାରରେ ଡିଜେଲ ଏବଂ ଜାଳେଣି ସଙ୍କଟ ଦେଖାଦେଉଥିବା ସେ ଅଭିଯୋଗ କରିଛନ୍ତି, ଯାହା ଆମେରିକାର କୃଷକ ଏବଂ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଟ୍ରମ୍ପ ସ୍ପଷ୍ଟ ଭାବେ କହିଛନ୍ତି ଯେ ଜେଲେନସ୍କି ଏଭଳି ଆକ୍ରମଣ ବନ୍ଦ କରିବା ଉଚିତ୍।
ରୁଷ ବିରୁଦ୍ଧରେ ଯୁଦ୍ଧ ସମାଧାନ ପାଇଁ ଜେଲେନସ୍କି ଅନେକ ସୁଯୋଗ ହାତଛଡ଼ା କରିଛନ୍ତି ଏବଂ ସେ ଚୁକ୍ତି କରିବାକୁ ଚାହୁଁନାହାଁନ୍ତି ବୋଲି ଟ୍ରମ୍ପ ଦାବି କରିଛନ୍ତି। ତେଣୁ ଯୁଦ୍ଧର ଅନ୍ତ ଘଟାଇବା ଏବଂ ଏକ ବୁଝାମଣା ପାଇଁ ୟୁକ୍ରେନବାସୀ ଜଣେ ନୂତନ ନେତା ବାଛିବା ଜରୁରୀ ବୋଲି ସେ ମତ ଦେଇଛନ୍ତି।
ପ୍ରକାଶ ଥାଉ କି, ଟ୍ରମ୍ପ ନିକଟରେ ରୁଷରୁ ବିଶ୍ୱବଜାରକୁ ଡିଜେଲ ଯୋଗାଣ ସହଜ କରିବା ପାଇଁ ଏକ ବୁଝାମଣା କରିଥିବା କହିଥିଲେ। କିନ୍ତୁ ୟୁକ୍ରେନର ଏହି କ୍ରମାଗତ ଆକ୍ରମଣ ସେହି ଯୋଜନା ଏବଂ ବିଶ୍ୱର ଶକ୍ତି ବଜାରକୁ ପ୍ରଭାବିତ କରୁଥିବା ଆମେରିକା ପକ୍ଷରୁ କୁହାଯାଇଛି। ଏହି ଘଟଣାପ୍ରବାହ ୟୁକ୍ରେନ ଓ ଆମେରିକା ମଧ୍ୟରେ କୂଟନୈତିକ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି।

