ଅଧା ଆକାଶର ଈଶ୍ୱରୀ
ପ୍ରଜ୍ଞାଶ୍ରୀ ରଥ
ମୋର ଇଚ୍ଛା ଇଚ୍ଛାମୟ!
ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ…
ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ
ଫିକା ଆକାଶର ନୀଳକପାଳ
ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା
ଖାସ୍ ତମ ପାଇଁ ଆଙ୍କିବାକୁ
ଦିଗ୍ବଳୟର ଭ୍ରୂଲତା…
ସବୁ ଉଚ୍ଚଆଶାଙ୍କୁ ନୁଆଁଇଆଣନ୍ତି
ତମ ପଲକ ତଳକୁ
ଦିଅନ୍ତି ଅଝରାଝରା ଲୁହ…
ତମେ ଟିକେ କାନ୍ଦିପାରନ୍ତ କି!
ଭାରି ହାଲ୍କା ଲାଗନ୍ତା ମ
ମୁଁ ଜାଣେ ତମେ ଦୁଃଖୀ
କିନ୍ତୁ କହିପାରିନ କାହାକୁ
ଏଇ ଯୋଉ ଅଦୃଶ୍ୟ ଆଘ୍ରାଣ ଶକ୍ତି
ବିଶ୍ୱ ଜୀବନର ଭୋଗାଭୋଗ ପାଇଁ
ତାକୁ ବି ହଟେଇନିଅନ୍ତି…
କ୍ଷଣକ ପାଇଁ ତମେ
ସେବନ କରନ୍ତ ଫୁଲନିଶା
ଅନୁଭବ କରିପାରନ୍ତ ଭିଜାମାଟିର ବାସ୍ନା
ପାର୍ଥିବ ହେବାର ପୁଲକରେ
ତମେ ବି ଧାରଣ କରନ୍ତ ମୋର ପ୍ରାଣବାୟୁ
ଜାଣନ୍ତ,
କେମିତି ଖରତର ହୁଏ ନିଃଶ୍ୱାସ
ଚରମ ପ୍ରାପ୍ତିରେ
ମତେ ମିଳିଥିବା ସବୁ ସୁଖରେ
ମୁଁ ତିଆରିକରନ୍ତି ତମ ଜବାଧର
ଦିଅନ୍ତି ଅପେକ୍ଷାରେ ସାନ୍ଦ୍ରରଙ୍ଗ
ଦିଅନ୍ତି ପରମ ପୁଲକର ନିଶବ୍ଦ କମ୍ପନ
ତମ ଚିରହରିତ ହସ ବଦଳରେ
ଖଞ୍ଜିଦିଅନ୍ତି ମହାତୃଷା…
ସମୁଦ୍ର ସମୁଦ୍ର ନିଦ୍ରା ତେଜି
ତମେ କୁହନ୍ତକି ଥରେ ପ୍ରେମଭାଷା
ଦିଅନ୍ତି ତୁମକୁ ଅସହାୟର ହାତ
ମାଗିବା ଲୋକର ଦୈନ୍ୟ
ଥରେ ତ ସେଇ ଦିବ୍ୟ ଅପ୍ରାପ୍ତିକୁ ପାଅ,
ଥରେ ତ କୋଉଠି ଅସଫଳ ହୁଅ
ଗଢ଼ିପାରନ୍ତିକି ତମ ପାଇଁ
ମୋ ଜନ୍ମଦାତାର କାନ୍ଧ!
ମାଟିରେ ମିଶିଯାଇଥିବା ଗୋଟେ ମଣିଷ ବି
କେତେ ଅମରତ୍ୱ ପାଏ ଜାଣିଚ ନା!
ଦିଅନ୍ତି ତମକୁ ମା’ର ହୃଦୟ
ଥରେ ତ କେବେ କୋଉ କୋଣରୁ
ସେ ଡାକିବା ପରି ମତେ ଡାକିନିଅ
ଥିବା ନଥିବା ସବୁ ଭୋଗର
ବରାଦ ନେଇଯାଆନ୍ତି…
ତମକୁ ଚଖାନ୍ତି ଖଟା ତୋରାଣି, ବଡ଼ିଭଜା
ଭୋକମାନଙ୍କୁ ବି ଦରକାର ଅନୁଭବ
ତମେ କୁଆଡ଼ୁ ବୁଝିବ କହ ତ!
ତମ ପାଇଁ ପାଦ କିନ୍ତୁ ଗଢ଼ିପାରିବିନି
ସତ କହୁଚି…
କେବେ ତ ଦେଖିନି
ଏମିତି ହରିଣ କାନ ରଙ୍ଗର ପାଦ!
କେବେ ତ ଦେଖିନି
ପୃଥିବୀ ପରିକ୍ରମା କରିପାରୁଥିବା ଦିବ୍ୟବେଶ!
ମୋର ଏଇ ସାନସାନ
ମାଟିପାଦ ଦୁଇଟା ନିଅ…
ମତେ ତ ଜଣାନାଇଁ ଅଗତିର ଗତି
ତମେ କେତେବେଳେ କୁଆଡେ଼ ଯାଅ!
……………
ସି-୭୨, ୟୁନିଟ-୮, ଭୁବନେଶ୍ୱର
Comments are closed.