ନାସିକ: ମହାରାଷ୍ଟ୍ରର ନାସିକରେ ଥିବା TCS BPO କ୍ୟାମ୍ପସରେ ଯୌନ ଉତ୍ପୀଡ଼ନ ଏବଂ ଧର୍ମାନ୍ତରୀକରଣ ଅଭିଯୋଗ ହେବାରେ ଲାଗିଛି। ଏହାରି ମଧ୍ୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ପାନୀ କତୃପକ୍ଷ ଏକ ବଡ଼ ପଦକ୍ଷେପ ନେଇଛି। କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କ୍ୟାମ୍ପସକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।
ସୂଚନା ଅନୁଯାୟୀ, କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ନ ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ପ୍ରତିକ ଅଭିଯୋଗ ପରେ କମ୍ପାନୀର ପରିବେଶ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି, ଯାହା ଫଳରେ କତୃପକ୍ଷ ଏହି ସତର୍କତାମୂଳକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି। କମ୍ପାନୀ କହିଛି ଯେ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ସ୍ଥଗିତ ରହିବ ଏବଂ ସମସ୍ତ କର୍ମଚାରୀ ଘରୁ କାମ କରିବେ।
ଅପରପକ୍ଷରେ ପୋଲିସ କମ୍ପାନୀର ଆଭ୍ୟନ୍ତରୀଣ ଟିମ୍ ସହିତ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି। ଏହି ମାମଲାରେ ନଅ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରାଯାଇଛି ଏବଂ ଜଣେ ମହିଳା HR କାର୍ଯ୍ୟନିର୍ବାହୀ ଏପର୍ଯ୍ୟନ୍ତ ଫେରାର୍ ଅଛନ୍ତି।
ତେବେ ସମ୍ପୂର୍ଣ୍ଣ ମାମଲା ଫେବୃଆରୀ ୨୦୨୬ ରେ ଆରମ୍ଭ ହୋଇଥିଲା। ଯେତେବେଳେ ଜଣେ ରାଜନୈତିକ କର୍ମୀ ନାସିକ ପୋଲିସରେ ଅଭିଯୋଗ କରିଥିଲେ ଯେ କମ୍ପାନୀରେ କାର୍ଯ୍ୟରତ ଜଣେ ହିନ୍ଦୁ ମହିଳା ରମଜାନ ମାସରେ ଉପବାସ ତଥା ରୋଜା କରୁଥିଲେ। ଏହା ଉପରେ ଆଧାର କରି ପୋଲିସ ସନ୍ଦେହଜନକ ଭାବେ ଏକ ଗୁପ୍ତ ତଦନ୍ତ ଆରମ୍ଭ କରିଥିଲା। ଯାହା ପରେ ବଡ଼ ଖୁଲାସା ହୋଇଛି।