Latest Odisha News

BREAKING NEWS

ଭାଷା ଭାଗବତ : କାର୍ଯାରଂଭ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

ନିଜର ମନର ମଇଳା
ନିଜେ ଟିକିଏ ଆଗ ଓଳା
କାମ କରିଲେ ନିୟମିତ
ମନ ହୋଇବ ପରିଷ୍କୃତ

ଯାହା ନିଜେ ପାରିବା କରି
ତା ପାଇଁ କାହାକୁ ଗୁହାରି
କରିବା ନୁହେ ଆବଶ୍ଯକ
ବୁଝଂତି କର୍ମାସକ୍ତ ଲୋକ

ଅନେକ ଧର୍ମାସକ୍ତ ଲୋକ
ନ କରି ନିଜ କାମ ତକ
କରଂତି ତୁଛାକୁ ପ୍ରାର୍ଥନା
କର୍ମକୌଶଳ ନାହିଁ ଜଣା

ପ୍ରଭୁ ତ ବିଶ୍ବର ନିୟଂତା
ବୁଝିବେ ବ୍ୟକ୍ତିର ଅବସ୍ଥା
ଏପରି କରେ ଯିଏ ଆଶା
ଭୋଗଇ ଅକଥ୍ୟ ଦୁର୍ଦଶା

ପ୍ରଥମେ କଲେ କାର୍ଯାରଂଭ
ମନରେ ବଢ଼େ ଧୈର୍ଯ, ଦଂଭ
ବ୍ୟକ୍ତି ହୋଇଲେ କର୍ମଶୀଳ
ନିଶ୍ଚୟ ପାଏ ଭଲ ଫଳ

ହୋଇଥାଏ ଯେ କାର୍ଯରତ
ନିର୍ମଳ ହୁଏ ତା’ର ଚିତ୍ତ
ଆଳସ୍ୟ କରିଲେ ବର୍ଜନ
ଘଟଇ ବିକାଶ, ବର୍ଧନ

କେବଳ ଚିଂତା କରି କରି
ବେଶି ସମୟ ଦେଲେସାରି
ମଣିଷ ଯାଇଥାଏ ହାରି
କଲେ ବି ପ୍ରାର୍ଥନା, ଗୁହାରି

ଭାଷାକୁ କରିଲେ ପ୍ରୟୋଗ
ମିଳଇ ଯଥେଷ୍ଟ ସୁଯୋଗ
କରିଲେ ପଠନ, ଲିଖନ
ସଂଭବ ଭାଷାର ଉତ୍‌ଥାନ

ମନରେ ଅଧିକ ନ ପାଂଚି
ଭାଷାର ରତ୍ନାବଳି ସଂଚି
ହଟାଇଦେଲେ ଦ୍ବଂଦ୍ବ, ଦ୍ବିଧା
ହେବନି ଆଉ ଅସୁବିଧା

ଯାହା ବି ପଢ଼ୁଁ କିଂବା ଶୁଣୁ
ତାହାକୁ ନିଜ ମନେ ଗୁଣୁ
ଯାହା ବି ପୁସ୍ତକରେ ଦେଖୁଁ
ନିଜର ମନରେ ପରଖୁଁ

ଏଥିରୁ ଯାହା ବୁଝୁଁ, ଜାଣୁ
ତାହା ହିଁ ଜ୍ଞାନ ବୋଲି ମାନୁ
ସ୍ବାନୁଭୂତିରୁ କରୁଁ ଶିକ୍ଷା
ନିଜକୁ ପରୀକ୍ଷା, ସମୀକ୍ଷା

Comments are closed.