Latest Odisha News

ଏପ୍ରିଲ ୧୫ରେ ଓଡ଼ିଶା ଆଇନଜୀବୀ ପରିଷଦ ନିର୍ବାଚନ: ଛୁଟି ରହିବ ସବୁ ଅଦାଲତ

ଭୁବନେଶ୍ୱର: ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ‌୩୦ଟି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୧୬୭ଟି ବୁଥ୍‌ କରାଯାଇଛି। ଏହି ନିର୍ବାଚନରେ କଟକରେ ୭ ହଜାର ୩୯୯ଜଣ ଓ ଭୁବନେଶ୍ୱରରେ ୪ ହଜାର ୧୪୫ଜଣ ଆଇନଜୀବୀଙ୍କ ସହ ସାରା ରାଜ୍ୟରେ ମୋଟ ୩୪ହଜାର ୯୦୮ଜଣ ଆଇନଜୀବୀ ଭୋଟ ଦେବେ। ଏପ୍ରିଲ ୧୫ ନିର୍ବାଚନ ଥିବାରୁ ଏଙି ଦିନ ହାଇକୋର୍ଟ ଓ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଛୁଟି ରହିବ।

ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ପୁଲିଂ ଅଫିସର ଭାବେ ବିଚାରବିଭାଗୀୟ ମାଜିଷ୍ଟ୍ରେଟମାନେ ଦାୟିତ୍ୱ ନିର୍ବାହ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ବାଚନରେ ପ୍ରିଫରେନ୍ସିଆଲ ଭୋଟିଂ ବ୍ୟବସ୍ଥା ରହିଥିବା ବେଳେ ୨୫ଜଣ ସଦସ୍ୟ ନିର୍ବାଚିତ ହେବେ।

ଜଣେ ମତଦାତା ଅତି କମରେ ୫ଟି ପ୍ରିଫରେନ୍ସ ପ୍ରସଂଗରେ ବାଲଟ ପେପରରେ ଉଲ୍ଲେଖ କରିବେ। ସେଭଳି ହୋଇ ନଥିଲେ ସଂପୃକ୍ତ ବାଲଟ ପେ‌ପର ଖାରଜ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କଡ଼ା ଆଇନ କାନୁନ ଭିତରେ ଭୋଟଗ୍ରହଣ ହେବ। ଏହି ନିୟମ ବିଷୟରେ ପୂର୍ବରୁ ବିଭିନ୍ନ ବାର୍ ଆସୋସିଏସନକୁ ଜଣାଇ ଦିଆଯାଇଛି। ନିୟମାନୁସାରେ ପୁଲିଂ ବୁଥ ଭିତରକୁ ଆଇନଜୀବୀମାନେ ମୋବାଇଲ ଫୋନ, କ୍ୟାମେରା, ଇଲେକ୍ଟ୍ରୋନିକ ସାମଗ୍ରୀ ଇତ୍ୟାଦି ନେଇ ପାରିବେ ନାହିଁ।

ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରିବେ। ସେହିଭଳି ଭାବେ ଆଇନଜୀବୀ ବାସୁଦେବ ପୂଜାରୀ ଓ ପ୍ରଫୁଲ୍ଲ କୁମାର ରଥ ସହକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।

Comments are closed.