Latest Odisha News

BREAKING NEWS

Durga Puja Toranas: ମାଆ ଆସୁଛନ୍ତି…ଦେଶୀ ବିଦେଶୀ କଳାକୃତିରେ ଝଲସୁଛି ତୋରଣ, ଭୁବନେଶ୍ୱରରେ ଜମିଲାଣି ଦୁର୍ଗାପୂଜାର ମାହୋଲ!

ଭୁବନେଶ୍ବର: ଭକ୍ତଙ୍କ ଡାକ ଶୁଣି ଧରାକୁ ଓହ୍ଲାଇବେ ଜଗତ୍‌ଜନନୀ। ସଜେଇ ହେଲାଣି ଗାଁଠୁ ସହର, ଆସୁଛନ୍ତି ମାଆ ଦଶଭୂଜା। ପୂଜା ପୂଜା ବାସିଲାଣି ମାଟି, ପାଣି, ପବନ। ଧୀରେ ଧୀରେ ବଦଳୁଛି ପରିବେଶ, ଚାରିଆଡ଼େ ଛାଇଲାଣି ମାଆଙ୍କ ଆଗମନର ଉତ୍ସାହ। କେଉଁଠି ଆକର୍ଷଣୀୟ ତୋରଣ ତିଆରି ଚାଲିଛି ତ ଆଉ କେଉଁଠି ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହେଉଛି ପୂଜା ମଣ୍ଡପ। କାରିଗରଙ୍କ ହାତରେ ରୂପ ନେଉଛି ସୁନ୍ଦର ସାଜସଜ୍ଜା, ଆଉ ଶେଷ ସ୍ପର୍ଶ ଅପେକ୍ଷାରେ ରହିଛି ମାଆଙ୍କ ଆଗମନର ଆସର।

ପୂଜା ମଣ୍ଡପର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଆୟୋଜକ ଓ କାରିଗର। କେଉଁଠି ପେଣ୍ଡାଲର ସାଜସଜ୍ଜା ଚାଲିଛି, ତ ଆଉ କେଉଁଠି ଆଲୋକସଜ୍ଜାକୁ ଆକର୍ଷଣୀୟ କରିବାରେ ବ୍ୟସ୍ତ କର୍ମକର୍ତ୍ତା। ଛୋଟରୁ ବଡ଼, ସମସ୍ତଙ୍କ ମନରେ ଏବେ ଗୋଟିଏ ଉତ୍ସାହ, କେବେ ଦର୍ଶନ ଦେବେ ମାଆ ଦୁର୍ଗା!

ତେବେ ଭୁବନେଶ୍ବର ସହରରେ ସବୁଠୁ ବେଶୀ ଆକର୍ଷଣୀୟ ପାଲଟେ ବିଭିନ୍ନ ପୂଜା ମଣ୍ଡପର ତୋରଣ ସଜ୍ଜା । ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ସ୍ଥାପତ୍ୟ ଶୈଳୀର ଝଲକରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ତୋରଣ ସଜ୍ଜା । କେଉଁଠି ବହୁତଳ ପ୍ରାସାଦ, ଭିନ୍ନ ରଙ୍ଗର ଗମ୍ବୁଜ, ବଡ଼ ବଡ଼ ସ୍ତମ୍ଭ ଛିଡା ହୋଇଥିବା ବେଳେ କେଉଁଠି ୟୁରୋପୀୟ ରାଜପ୍ରାସାଦ ବା ଚର୍ଚ୍ଚର ସ୍ଥାପତ୍ୟ ଶୈଳୀ, ବିଭିନ୍ନ ରଙ୍ଗର ଗମ୍ବୁଜ, ସ୍ତମ୍ଭ ଓ ନିଖୁଣ କାରୁକାର୍ଯ୍ୟ ଥିବା ଭବ୍ୟ କୋଠା ଭଳି ତୋରଣ, ଅନେକ ଉଚ୍ଚ ମିନାର ଥିବା ଇସଲାମିକ୍ ସ୍ଥାପତ୍ୟ ଶୈଳୀର ଭବ୍ୟ ନିର୍ମାଣ ଭଳି ଝଲକ ଦେଖାଉଛି ତୋରଣ।

ଆସନ୍ତୁ ଭୁବନେଶ୍ବରର କିିଛି ସୁନ୍ଦର ତୋରଣ ଉପରେ ନଜର ପକାଇବା…

(ବୋମିଖାଲ ପୂଜା ମଣ୍ଡପ)

(ପଳାଶୁଣୀ ପୂଜା ମଣ୍ଡପ)

(ନୟାପଲ୍ଲୀ ପୂଜା ମଣ୍ଡପ)

(ବରମୁଣ୍ଡା ପୂଜା ମଣ୍ଡପ)

(ଫଟୋ-ପ୍ରଭାତ ମହାନ୍ତି)

ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ଏହା ଆମ ଭକ୍ତି, ପରମ୍ପରା ଓ ଭାଇଚାରାର ମହାମିଳନ। ମଣ୍ଡପର ଆକର୍ଷଣୀୟ ସାଜସଜ୍ଜାଠାରୁ ଆରମ୍ଭ କରି ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପର୍ଯ୍ୟନ୍ତ, ପ୍ରତିଟି ପ୍ରସ୍ତୁତିରେ ରହିଛି ଶ୍ରଦ୍ଧା ଓ ଭାବନାର ଛାପ। ଏବେ ଅପେକ୍ଷା ସେହି ଶୁଭ ମୁହୂର୍ତ୍ତକୁ, ଯେତେବେଳେ ଧୂପ, ଦୀପ, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେବ ପୂଜା ମଣ୍ଡପ। ମାଆଙ୍କ ଆଗମନରେ ଭକ୍ତିମୟ ହୋଇଉଠିବ ପରିବେଶ, ଆଉ ସବୁ ମୁହଁରେ ଫୁଟିଉଠିବ ଆନନ୍ଦର ହସ।

 

 

 

 

 

 

 

Leave A Reply

Your email address will not be published.