ନୂଆଦିଲ୍ଲୀ: ଆକାଶରୁ ଖସିବ ମହାବିନାଶୀ ବୋମା! ଇରାନକୁ ଟାର୍ଗେଟ୍ କରିବେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ? ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଉତ୍ତେଜନା ଭିତରେ ଏବେ ଚର୍ଚ୍ଚାରେ ଆମେରିକାର ସବୁଠୁ ବଡ଼ ଅଣ-ପରମାଣୁ ବୋମା ‘ମଦର ଅଫ୍ ଅଲ୍ ବମ୍ସ’ ବା MOAB। ଆମେରିକୀୟ ଗଣମାଧ୍ୟମ CNNର ରିପୋର୍ଟ ଅନୁସାରେ, ଇରାନ ଉପରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ କରିବା ନେଇ ଟ୍ରମ୍ପ ପ୍ରଶାସନ ବିଚାର କରୁଛି।
ରିପୋର୍ଟ ଅନୁସାରେ, ଟ୍ରମ୍ପ ଆମେରିକୀୟ ସେନାକୁ ଇରାନର ସମ୍ଭାବ୍ୟ ଟାର୍ଗେଟ୍ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି। ଏହି ତାଲିକାରେ ଇରାନର ଶକ୍ତି ଭିତ୍ତିଭୂମି ଏବଂ ପରମାଣୁ କେନ୍ଦ୍ର ଥିବା କୁହାଯାଉଛି। ଆମେରିକାର ମଧ୍ୟାବଧି ନିର୍ବାଚନ ପୂର୍ବରୁ କିମ୍ବା ପରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
ଖାଲି ସେତିକି ନୁହେଁ, ଟ୍ରମ୍ପଙ୍କ ଟାର୍ଗେଟରେ ଇରାନର ପିକ୍ଆକ୍ସ ମାଉଣ୍ଟେନ୍ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ତେହେରାନଠାରୁ ପ୍ରାୟ ୨୨୫ କିଲୋମିଟର ଦକ୍ଷିଣରେ ଥିବା ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ରହିଛି ପିକ୍ଆକ୍ସ ମାଉଣ୍ଟେନ୍। ଏହା ଇରାନର ଏକ ଦୁର୍ଗମ ଓ ସୁରକ୍ଷିତ ଭୂତଳ ସ୍ଥାନ । ସେପ୍ଟେମ୍ବର ୫ରେ ଟ୍ରମ୍ପ ଏହି ସ୍ଥାନକୁ ଟାର୍ଗେଟ୍ କରିବା ନେଇ ଚେତାବନୀ ଦେଇଥିଲେ। ତେଣୁ ଏବେ MOAB ଦ୍ୱାରା ଏହି ସ୍ଥାନକୁ ଟାର୍ଗେଟ୍ କରାଯାଇପାରେ।
କେତେ ଶକ୍ତିଶାଳୀ MOAB ବୋମା?
MOABର ପୂରା ନାଁ GBU-43/B Massive Ordnance Air Blast। ଏହାର ଓଜନ ପ୍ରାୟ ୯,୮୦୦ କିଲୋଗ୍ରାମ। GPS ନିର୍ଦ୍ଦେଶିତ ଏହି ବୋମାକୁ C-130 ହର୍କ୍ୟୁଲିସ୍ ବିମାନରୁ ନିକ୍ଷେପ କରାଯାଏ। ୨୦୦୩ରେ ଏହାର ପରୀକ୍ଷଣ ହୋଇଥିଲା। ୨୦୧୭ରେ ଆଫଗାନିସ୍ତାନର ନାଙ୍ଗରହାର ପ୍ରଦେଶରେ ISIS-K ଆତଙ୍କବାଦୀଙ୍କ ସୁଡ଼ଙ୍ଗ ଓ ଗୁମ୍ଫା ଅଞ୍ଚଳକୁ ଟାର୍ଗେଟ୍ କରି ଆମେରିକା ପ୍ରଥମ ଥର ଏହାକୁ ଯୁଦ୍ଧରେ ବ୍ୟବହାର କରିଥିଲା। ରିପୋର୍ଟ ଅନୁସାରେ, ଏହି ଆକ୍ରମଣରେ ୯୪ ଜଣ ISIS-K ସଦସ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ତେବେ ସାଧାରଣ ନାଗରିକଙ୍କ କ୍ଷୟକ୍ଷତି ନେଇ ମଧ୍ୟ ରିପୋର୍ଟ ଆସିଥିଲା।
ତେବେ ଏଠି ରହିଛି ସବୁଠୁ ବଡ଼ ପ୍ରଶ୍ନ। MOAB ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହା ଗଭୀର ଭୂତଳରେ ଥିବା ସୁଦୃଢ଼ ପରମାଣୁ କେନ୍ଦ୍ରକୁ ଭେଦି ଧ୍ୱଂସ କରିପାରିବ କି ନାହିଁ, ସେନେଇ ଅନିଶ୍ଚିତତା ରହିଛି। ସାମରିକ ବିଶେଷଜ୍ଞଙ୍କ ମତରେ, ଏହାର ପ୍ରଭାବ ମୁଖ୍ୟତଃ ଭୂପୃଷ୍ଠରେ ଅଧିକ ହୋଇପାରେ। ଏହା ଭୂତଳର ଗଭୀର ସ୍ଥାପନାକୁ ଧ୍ୱଂସ କରିବାର ନିଶ୍ଚିତ ପ୍ରମାଣ ମିଳିନାହିଁ । ତଥାପି ଯଦି ଟ୍ରମ୍ପ ଇରାନ ଉପରେ ସତରେ ଏହି ବୋମା ପକାନ୍ତି, ତେବେ ପୁଣି ମଧ୍ୟପ୍ରାଚ୍ୟରେ ଅଶାନ୍ତି ବଢିପାରେ । ଯାହା ବିଶ୍ବ ବାଣିଜ୍ୟ ସହିତ ଟ୍ରମ୍ପ ପ୍ରଶାସନକୁ ବି ଅକଳିଆରେ ପକାଇପାରେ ।
ଯାହାକୁ ନେଇ ଏବେ ପ୍ରଶ୍ନ, ଟ୍ରମ୍ପ ସତରେ MOAB ବ୍ୟବହାର କରିବେ, ନା ଏହା କେବଳ ଇରାନ ଉପରେ ଚାପ ସୃଷ୍ଟି କରିବାର ରଣନୀତି? ଏହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି।

