Latest Odisha News

୪୩ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର, ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଅସହ୍ୟ ତାତି, ଅସମ୍ଭାଳ ଖରା । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ସବୁଠି ରୌଦ୍ର ତାପ । ଆଜି ରାଜ୍ୟର ୩୦ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୧୧ ସହରରେ ପାରଦ ୪୩ ଡେଇଁଥିବା ବେଳେ ୪୪.୫ ଡିଗ୍ରୀ ତାପମାତ୍ରାରେ ଭାଜି ହୋଇଛି ବାରିପଦା ।

ବାରିପଦା ତଳକୁ ନୂଆପଡ଼ାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୪ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୪ ଡିଗ୍ରୀ, ବୌଦ୍ଧରେ ୪୩.୯ ଡିଗ୍ରୀ, ତାଳଚରେରେ ୪୩.୮ ଡିଗ୍ରୀ, ଅନୁଗୁଳରେ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ରାଉରକେଲାରେ ୪୩.୩ ଡିଗ୍ରୀ, ସମ୍ବଲପୁରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ପାରଦ ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ କଟକର ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ୩ ସହର ପୁରୀ, ଗୋପାଳପୁର ଓ ପାରାଦୀପକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ପାରଦ ୨ରୁ ୪ ଡିଗ୍ରୀ ଯାଏ ଖସିବ । ରାଜ୍ୟରେ ଆଉ ୨ ଦିନ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଲାଗି ରହିବ । ୨୦ ତାରିଖରେ ହିଟ୍ ୱେଭ ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

Comments are closed.