ଭୁବନେଶ୍ୱର: ବର୍ଷା ଋତୁ ପୂର୍ବରୁ ମ୍ୟାଲେରିଆ ଓ ଡାଇରିଆ ରୋଗର ସମ୍ଭାବ୍ୟ ବୃଦ୍ଧି ନେଇ ଓଡ଼ିଶା ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏସବୁ ରୋଗକୁ ରୋକିବା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ଏହି ସମୀକ୍ଷା ସମୟରେ ନିରଞ୍ଜନ ମିଶ୍ର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ସମସ୍ତ ପାଣିର ଉତ୍ସକୁ ସାନିଟାଇଜ୍ ବା ବିଶୋଧନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେତେବେଳେ ମୌସୁମୀ ପାଖେଇ ଆସୁଛି, ମ୍ୟାଲେରିଆ ଏବଂ ଡାଇରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ବିଶେଷକରି ଏହି ତିନିଟି ଜିଲ୍ଲାରେ ଏହିଭଳି ରୋଗ ହେବାର ସମ୍ଭାବନା ରହିଛି।
ଏହିସବୁ ଅଞ୍ଚଳରେ ଡାଇରିଆ ଜନିତ ମୃତ୍ୟୁକୁ ରୋକିବା ଉପରେ ନିରଞ୍ଜନ ମିଶ୍ର ଗୁରୁତ୍ୱାରୋପ କରିବା ସହ ମ୍ୟାଲେରିଆ ରୋଗୀଙ୍କ ସଂକ୍ୟା କମାଇବା ଉପରେ ଆଲୋଚନା କରିଥିଲେ। ଏଥିସହ ମ୍ୟାଲେରିଆ ଓ ଡାଇରିଆର ନିରାକରଣ ଓ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ ବେଳେ କୋଭିଡ୍-19 ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ମ୍ୟାଲେରିଆ ଓ ଡାଇରିଆର ସମ୍ଭାବ୍ୟ ପ୍ରକୋପର ମୁକାବିଲା ପାଇଁ କର୍ତ୍ତୃପକ୍ଷ କିଭଳି ସୁପରିଚାଳନା କରିବେ ସେ ନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ଏହି ସମୀକ୍ଷା ବୈଠକର ଲକ୍ଷ୍ୟ ଥିଲା। ବିଶେଷ କରି କରୋନା ସମୟରେ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
Comments are closed.