Latest Odisha News

ମିଶନ ୨୦୨୪: ପିସିସି ଗଢ଼ିଲା ନୂଆ ଟିମ୍, ମୋକିମ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ତିଆରି କଲା ନୂଆ ଟିମ୍ । ଗତବର୍ଷ ମେ ମାସରେ ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ଏହାପରେ ନୂଆ ଟିମ୍ ଗଢାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏବେ ବିଳମ୍ବରେ ହେଉ ପଛେ ଏକ ବଡ଼ ଟିମ୍ ତିଆରି କରିଛନ୍ତି। ଯେଉଁଥିରେ ସମସ୍ତଙ୍କୁ ବିଭିନ୍ନ ପଦ ପଦବୀରେ ରଖାଯାଇ ବିଦ୍ରୋହୀଙ୍କୁ ଶାନ୍ତ କରିବାକୁ ପ୍ରୟାସ ହୋଇଛି। ତେବେ ଏହି ନୂଆ ଟିମ୍ ପୂର୍ବଭଳି କାର୍ଯ୍ୟକାରୀ ସଭାପତି ପଦକୁ ହଟାଇ ଦିଆଯାଇଛି।

ନୂଆ କମିଟିରେ ୫ ବରିଷ୍ଠ ନେତା ଉପସଭାପତି ହୋଇଥିବା ବେଳେ ୧୨ ଉପସଭାପତି, ୩୯ ଜଣ ସାଧାରଣ ସମ୍ପାଦକ, ୬୧ ଜଣ ସମ୍ପାଦକ, ୭୦ରୁ ଅଧିକଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଢା ହୋଇଛି।

ବରିଷ୍ଠ ଉପସଭାପତି ପଦରେ ଗଣେଶ୍ବର ବେହେରା, ତାରା ବାହିନୀପତି, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ସରସ୍ୱତୀ ହେମ୍ରମ ରହିଛନ୍ତି। ଉପସଭାପତି ପଦରେ ମମତା ମାଢୀ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜେନ୍ଦ୍ର ଛତରିଆ, ବିଭୂତି ମିଶ୍ର ପ୍ରଭୁତି ରହିଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କୋଷାଧକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ ପରିଚାଳନା କମିଟି ସଦସ୍ୟ ହୋଇଛନ୍ତି। ଯେଉଁଥିରେ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, କେପି ସଂ ଦେଓ, ସୁରେଶ ରାଉତରାୟ, ଅମରନାଥ ପ୍ରଧାନ, ଭକ୍ତ ଦାସ ଭଳି ଦଳର ହେବିଓ୍ୱେଟ୍ ନେତା ରହିଛନ୍ତି।

ମେ ମାସରେ ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନକୁ ସାମ୍ନା କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏବେ ସେ ଝାରସୁଗୁଡା ଉପନିର୍ବାଚନ ସାମ୍ନା କରୁଛନ୍ତି। ତେବେ ଏହି ନୂଆ ଟିମ୍ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ଦୁଇ ଦିନ ତଳେ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ସହ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିଲା ବିଜୟ ପଟ୍ଟନାୟକଙ୍କୁ। ରାଜ୍ୟରେ ଦଳକୁ ଆଗକୁ ନେବାରେ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାରେ କେନ୍ଦ୍ର କଂଗ୍ରେସ ବିଜୟଙ୍କ ଉପରେ ଗୋଟିଏ ବଡ ଭରସା କରିଥିବା ସୂଚନା ରହିଛି।

Comments are closed.