Latest Odisha News

BREAKING NEWS

ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ପ୍ରତିଶ୍ରୁତି ପାଣିର ଗାର, ବଢିବା ପରିବର୍ତ୍ତେ ଆୟ କମିଛି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର ଦ୍ୱିଗୁଣିତ କରିଛନ୍ତି ବୋଲି ରାଜ୍ୟ ସରକାର ଓ ଶାସକ ଦଳ କହୁଛନ୍ତି କିନ୍ତୁ ବାସ୍ତବ ଚିତ୍ର ଆଉ କିଛି ବୋଲି କଂଗ୍ରେସ ଦାବି କରିଛି।

BjdElectrycity

ରାଜ୍ୟର ନବୀନ ସରକାରଙ୍କର ଦୃଢ଼କ୍ତି ଏକ ବୃଥା ଆସ୍ଫଳନ ବୋଲି ପ୍ରମାଣିତ କରୁଛି ବୋଲି ପ୍ରମୁଖ ବିରୋଧୀ ଦଳ ଦାବି କରିଛି। ୨୦୧୨-୧୩ ମସିହା ଠାରୁ ଆରମ୍ଭ କରି ୨୦୨୨-୨୩, ଏହି ୧୦ ବର୍ଷ ଭିତରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ଦ୍ୱିଗୁଣିତ ହେବା ପରିବର୍ତେ ୨୦୧୨-୧୩ ମସିହା ଆୟ ଠାରୁ ୩ ଟଙ୍କା କମିଛି ବୋଲି ଆଜି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି, ୨୦୧୨-୧୩ ମସିହାରେ ଏନ୍‌.ଏସ୍‌.ଏସ୍‌. ଓ. ରିପୋର୍ଟର ତଥ୍ୟ ଆଧାରରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୪୯୫୩ ଟଙ୍କା ଥିଲା । କିନ୍ତୁ ୨୦୨୨ ମସିହାରେ ରାଜ୍ୟର ଏକ କୃଷକ ପରିବାରର ବାର୍ଷିକ ଆୟ ୫୯୪୪୦ ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ହିସାବ ଅନୁପାତରେ ଗୋଟେ କୃଷକ ପରିବାର ମାସକୁ ଆୟ ୪୯୫୦ ଟଙ୍କା ପାଖାପାଖି ଅଟେ। ଅର୍ଥାତ ଏହି ଦଶ ବର୍ଷ ଭିତରେ ନବୀନ ପଟ୍ଟନାୟକ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସଫଳ ହୋଇନାହାନ୍ତି ବୋଲି ଏହି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨୦୧୮ -୨୦୧୯ ମସିହାରେ ଏନ୍‌.ଏସ୍‌.ଏସ୍‌.ଓ. ତଥ୍ୟ ଅନୁସାରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୫୧୧୨ ଟଙ୍କା ଥିଲା ଏବଂ ଓଡ଼ିଶା ଭାରତ ବର୍ଷର ଦ୍ୱିତୀୟ ନ୍ୟୁନତମ ଆୟକାରୀ ରାଜ୍ୟ ରୂପେ ପରିଗଣିତ ହେଲା । କିନ୍ତୁ ସେହି ସମୟରେ ଭାରତ ବର୍ଷର ବହୁ ଛୋଟ ଛୋଟ ରାଜ୍ୟମାନଙ୍କର କୃଷକ ମାନଙ୍କର ଆୟ ଓଡ଼ିଶାର କୃଷକ ମାନଙ୍କର ଆୟ ଠାରୁ ବହୁ ଅଧିକ। ଛତିଶଗଡ଼ ଏକ କୃଷକ ପରିବାରର ଆୟ ୭୫୪୨ ଟଙ୍କା, ତ୍ରିପୁରାରେ ୯୯୧୮ ଟଙ୍କା, ନାଗାଲାଣ୍ଡରେ ୮୮୭୭ ଟଙ୍କା ଥିଲାବେଳେ ରାଜସ୍ଥାନରେ ୧୨୫୨୦ ଟଙ୍କା । ଓଡ଼ିଶାରେ ଏଭଳିସ୍ଥିତ କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

୭୭ତମ ଏନ୍‌.ଏସ୍‌.ଏସ୍‌.ଓ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗୋଟିଏ କୃଷକ ପରିବାର ଦିନକୁ ମାତ୍ର ୧୭୦ ଟଙ୍କା ରୋଜଗାର କରନ୍ତି କିନ୍ତୁ ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ହୋଇଛି ବୋଲି ଡିଣ୍ଡିମୋ ପିଟିବା ଏକ ହାସ୍ୟାସ୍ପଦ କଥା । ସତ କିଏ କହୁଛି, ଯଦି ରାଜ୍ୟରେ ପ୍ରକୃତରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ ହୋଇଛି ତାହାଲେ ଏଭଳି ତଥ୍ୟ କାହିଁକି ପ୍ରକାଶ ପାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

୨୦୧୮-୧୯ ମସିହାରେ ଆୟକୁ ହିସାବକୁ ନେଲେ ୨୦୨୨ ମସିହାରେ କୃଷକ ପରିବାରର ଆୟ ୬୨ ଟଙ୍କା କମିଗଲାଣି । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୃଷକ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ତିନି ତିନିଥର ଧାର୍ଯ୍ୟ ସମୟ ସ୍ଥିର କରିଥିଲେ ସୁଧା ଏହା ସମ୍ଭବ ହୋଇନାହିଁ । ରାଜ୍ୟର ଏ ପର୍ଯ୍ୟନ୍ତ କେତେ ସଂଖ୍ୟାକ କୃଷକ ଅଛନ୍ତି ଏବଂ କେତେ ସଂଖ୍ୟକ କୃଷି ଶ୍ରମିକ ଅଛନ୍ତି ଏମାନଙ୍କର ସଠିକ୍ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ରାଜ୍ୟ ସରକାର କେତେବେଳେ କହୁଛନ୍ତି ୪୨ ଲକ୍ଷ କୃଷକ ପରିବାର ଅଛନ୍ତି, କେତେବେଳେ ୫୩ ଲକ୍ଷ କୃଷକ ପରିବାର ଅଛନ୍ତି । ଯେଉଁ ରାଜ୍ୟ ସରକାରଙ୍କ ପାଖରେ ଏହି ତଥ୍ୟଟି ନାହିଁ ସେଠି କୃଷକମାନଙ୍କର ଆୟ କିଭଳି ଦ୍ୱିଗୁଣିତ ହେବ ଦଳ ପ୍ରଶ୍ନ କରିଛି ।

କଂଗ୍ରେସ ଦାବି କରିଛି ଗତ କିଛି ଦିନ ତଳେ ରାଜ୍ୟ କୃଷିମନ୍ତ୍ରୀ ପୁଣି ଆଉଥରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଦୋହରାଇଛନ୍ତି । ସେ କହିଛନ୍ତି ପ୍ରତିବର୍ଷ ୧ ଲକ୍ଷ କୃଷକଙ୍କର ଆୟକୁ ଦ୍ୱିଗୁଣିତ କରାଯିବ ଏବଂ ଆସନ୍ତା ୩ ବର୍ଷ ଭିତରେ ୩ ଲକ୍ଷ ଲୋକଙ୍କର ଆୟ ଦ୍ୱିଗୁଣିତ କରାଯିବ। ୧୦ ବର୍ଷ ଭିତରେ ଆୟ ଦ୍ୱିଗୁଣିତ କରାଯାଇପାରିଲା ନାହିଁ କିନ୍ତୁ ଏହି ୩ ବର୍ଷ ଭିତରେ ୩ ଲକ୍ଷଙ୍କର ଆୟ ଦ୍ୱିଗୁଣିତ କରାଯିବ ବୋଲି କହିବା ଏହା ଏକ ନୂଆ ରାଜନୈତିକ ଚାଲ।

ପ୍ରଦେଶ କଂଗ୍ରେସ କିଷାନ ସେଲ୍‌ର ସଭାପତି ଶ୍ରୀଯୁକ୍ତ ଅମୀୟ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଯେଉଁ ସରକାର କୃଷକମାନଙ୍କୁ ଉନ୍ନତମାନର ବିହନ ଏବଂ ସାର, କିଟନାଶକ ଯୋଗାଇ ଦେଇପାରୁନାହିଁ । ସେ କିଭଳି କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବ।

Leave A Reply

Your email address will not be published.