ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ପଥରେ ପୋଷ୍ଟର ଲଗାଇ ବାହାର ଲୋକଙ୍କୁ କଲେଜ କାମ ନଥିଲେ ପ୍ରବେଶ ନକରିବାକୁ ନିବେଦନ କରିଛନ୍ତି।
ଏଥିସହିତ ହଷ୍ଟେଲ ନିକଟରେ ଥିବା ଗେଟରେ ତାଲା ପକାଇ ଦିଆଯାଇଛି। ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଲା ପକାଇ ଦିଆଯାଇଛି। କ୍ୟାମ୍ପସ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ, ସିସିଟିଭି କ୍ୟାମେରା ଖଞ୍ଜାଯିବା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି।
କଲେଜର ପ୍ରିନ୍ସିପାଲ ଗୁଲାମ ମୋଇନୁଦ୍ଦିନ ଖାନ୍ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ପାଖରେ ପରିଚୟ ପତ୍ର ଓ ୟୁନିଫର୍ମ ଥିଲେ ହିଁ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ। ସରକାରୀ କାମରେ କ୍ୟାମ୍ପସକୁ ପ୍ରବେଶ କରୁଥିବା ବାହାର ଲୋକଙ୍କ ନାମ, ମୋବାଇଲ୍ ନମ୍ବର, ଗାଡ଼ି ନମ୍ବର ଟିପି ରଖିବାକୁ କଲେଜ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଛାତ୍ର ନୂଆ ନିୟମକୁ ଅନୁମୋଦନ କରି କହିଛନ୍ତି, ଏହି ପଦକ୍ଷେପ କ୍ୟାମ୍ପସକୁ ଏକ ସୁରକ୍ଷିତ ସ୍ଥାନ କରିବ।
ସୂଚନାଯୋଗ୍ୟ, ଶନିବାର କଲେଜ ଖେଳ ପଡ଼ିଆରେ କିଛି ଦୁର୍ବୃତ୍ତଙ୍କ ସହ କ୍ରିକେଟ୍ ଖେଳିବାକୁ ନେଇ ବଚସା ବେଳେ ୩ ଜଣ ଛାତ୍ର ଆହତ ହୋଇଥିଲେ। ଏହି ଘଟଣାରେ କମିଶନରେଟ୍ ପୋଲିସ ଆଠ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରି ସାରିଛି। ମୋଟ୍ ୨୦ ଜଣ ସାମିଲ ଥିଲେ ବୋଲି ସୂଚନା ରହିଛି। ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି।
ଅଧିକାଂଶ ସମୟରେ କଲେଜରୁ ପାସ୍ ହୋଇଥିବା ଛାତ୍ର ଓ ସ୍ଥାନୀୟ ଯୁବକ କଲେଜରେ ବଳପୂର୍ବକ ଅନୁପ୍ରବେଶ କରିବା ସହ ଆତଙ୍କ ଖେଳାଉଥିବାର ନଜିର ରହିଛି। ଯାହାର ପରିଣାମ ଶନିବାର ଘଟିଥିବା ଧଟଣା। ସେହିପରି ପୂର୍ବରୁ କଲେଜ କ୍ୟାମ୍ପସ ପରିସରରେ ରାଗିଂ ଅଭିଯୋଗ ଆସିବା ପରେ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ଅନ୍ୟତମ ସୁନାମଧନ୍ୟ କଲେଜ ହେଉଛି ବିଜେବି। କିନ୍ତୁ କିଛି ବର୍ଷ ହେବ ଏହି କଲେଜର ରାଗିଂ, ଛାତ୍ରୀ ଆତ୍ମହତ୍ୟା ଏବଂ ଗଣ୍ଡଗୋଳ ଆଦି ଘଟଣା ପାଇଁ ଚର୍ଚ୍ଚାରେ ରହିଆସୁଛି।
Comments are closed.