ଭୁବନେଶ୍ୱର: ଗତକାଲି ରାତିରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥର ଫୁଲନଖରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ଯୁବ କ୍ରୀଡ଼ାବିତ୍ ମୃତ୍ୟମ୍ ଜୟରାମ ଡୋଣ୍ଡାପାଟି ଏବଂ ମଳୟ ବାରିକଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। “ଏକ ସଡ଼କ ଦୁର୍ଘଟଣାରେ କ୍ରୀଡ଼ାବିତ୍ ମୃତ୍ୟମ୍ ଜୟରାମ ଡୋଣ୍ଡାପାଟି ଏବଂ ମଳୟ ବାରିକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ମର୍ମାହତ। ସେମାନଙ୍କର ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଏହି କଠିନ ସମୟରେ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ମିଳୁ ଏବଂ ଦିବଂଗତ ଆତ୍ମାମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଚିରଶାନ୍ତି ପ୍ରଦାନ କରନ୍ତୁ,” ବୋଲି ମୁଖ୍ୟମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି।
ସେହିପରି ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ଦୁର୍ଭାଗ୍ୟଜନକ ବିୟୋଗ ଖବର ମତେ ବ୍ୟଥିତ କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କ ପରିବାରଜନଙ୍କୁ ଏହି ଦୁଃଖଦ ସମୟରେ ସାହା ହୁଅନ୍ତୁ ଏବଂ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ।
ସୂତ୍ର ଅନୁଯାୟୀ, ଏହି ଦୁର୍ଘଟଣା ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଘଟିଥିଲା। ଉଭୟ କ୍ରୀଡ଼ାବିତ୍ଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଡୋଣ୍ଡାପାଟି ଦେଶର ଅନ୍ୟତମ ଦ୍ରୁତତମ ‘ଅଣ୍ଡର-୨୩’ (୨୩ ବର୍ଷରୁ କମ୍) ଦୌଡ଼ାଳି ଭାବରେ ଖ୍ୟାତି ଅର୍ଜନ କରିଥିଲେ, ଅନ୍ୟପକ୍ଷରେ ବାରିକ ୪୦୦ ମିଟର ଦୌଡ଼ ଇଭେଣ୍ଟରେ ଖ୍ୟାତି ଅର୍ଜନ କରିଥିଲେ। ୨୨ତମ ଜାତୀୟ ଜୁନିୟର (ଅଣ୍ଡର-୨୦) ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଡୋଣ୍ଡାପାଟି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପୁରୁଷ ବିଭାଗର ୧୦୦ ମିଟର ଦୌଡ଼କୁ ୧୦.୬୭ ସେକେଣ୍ଡରେ ଏବଂ ୨୦୦ ମିଟର ଦୌଡ଼କୁ ୨୧.୫୯ ସେକେଣ୍ଡରେ ପୂରଣ କରି ବିଜୟୀ ହୋଇଥିଲେ। ଏହି ଦୁଇ କ୍ରୀଡ଼ାବିତ୍ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ‘ହାଇ ପରଫରମାନ୍ସ ସେଣ୍ଟର’ରେ ପ୍ରଶିକ୍ଷଣ ନେଉଥିଲେ। ସେମାନଙ୍କର ଏଭଳି ଅକାଳ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି।

