ଭୁବନେଶ୍ୱର: ପୁଣି ଡରାଉଛି ବାତ୍ୟା ଭୟ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଣ୍ଡାମାନ ସାଗରକୁ ଲାଗି ରହିଥିବା ଏହି ସମ୍ଭାବ୍ୟ ଲଘୁଚାପ ଓ ଘୂର୍ଣ୍ଣିବଳୟର ଗତିପଥ ଉପରେ ନଜର ରଖାଯାଇଛି। Windyର ଏକ ପୂର୍ବାନୁମାନ ମାନଚିତ୍ରରେ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସଦୃଶ ପାଣିପାଗ ବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ମାନଚିତ୍ର ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ଏବଂ ବିଶାଖାପାଟଣାର ଦକ୍ଷିଣରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ଏହା କେବଳ ଏକ ପାଣିପାଗ ମଡେଲ୍ ର ସମ୍ଭାବ୍ୟ ଆକଳନ।
ବାତ୍ୟା ସୃଷ୍ଟି, ତାହାର ତୀବ୍ରତା କିମ୍ବା ସ୍ଥଳଭାଗ ଅତିକ୍ରମ ସ୍ଥାନ ସମ୍ପର୍କରେ ଏହାକୁ ଚୂଡ଼ାନ୍ତ ପୂର୍ବାନୁମାନ ବୋଲି କୁହାଯାଇପାରିବ ନାହିଁ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର ଆଣ୍ଡାମାନ ସାଗରରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତେବେ IMD ଏପର୍ଯ୍ୟନ୍ତ ଏହା ବାତ୍ୟାରେ ପରିଣତ ହେବ କିମ୍ବା ଆନ୍ଧ୍ରପ୍ରଦେଶର କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ, ସେନେଇ ନିଶ୍ଚିତ ପୂର୍ବାନୁମାନ ଦେଇନାହିଁ । ଉପଲବ୍ଧ ସାମୁଦ୍ରିକ ବୁଲେଟିନ୍ ରେ ବାତ୍ୟା ସତର୍କତା ମଧ୍ୟ ଜାରି କରାଯାଇନଥିଲା ।
Windyରେ ଦେଖାଯାଉଥିବା ସମ୍ଭାବ୍ୟ ଗତିପଥ ଅନୁଯାୟୀ, ପାଣିପାଗ ବ୍ୟବସ୍ଥା ଯଦି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରେ, ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ମୁଖ୍ୟତଃ ଗତିପଥ, ଶକ୍ତି ଏବଂ ବର୍ଷାବାହୀ ବାଦଲର ବିସ୍ତାର ଉପରେ ନିର୍ଭର କରିବ । ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଓ ପବନର ପ୍ରଭାବ ପଡ଼ିପାରେ । ତେବେ ଏହା ଏକ ସମ୍ଭାବ୍ୟ ପରିସ୍ଥିତିର ବିଶ୍ଳେଷଣ, ଏହି ଜିଲ୍ଲାଗୁଡ଼ିକ ପାଇଁ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ସତର୍କତା ନୁହେଁ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୫ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିପାରେ । ଏହାପରେ ଅକ୍ଟୋବର ୨୭ ବେଳକୁ କେତେକ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇପାରେ ।

