ଭୁବନେଶ୍ୱର: ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଝଟକ। ଖୁବଶୀଘ୍ର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା।
ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସ୍ୱତନ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବା ପାଇଁ ଅନୁମତି ମାଗିଥିବା ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ଏବଂ ମେ’ ୮ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫଦାରୀକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଞ୍ଜଳୀ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହେବା ପାଇଁ ଅନୁମତି ମାଗିଥିଲେ।
ଶ୍ରଦ୍ଧାଞ୍ଜଳିଙ୍କୁ ମେ’ ୮ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି ବୋଲି ଓକିଲ ଗୋପାଳ ଅଗ୍ରଓ୍ବାଲ କହିଛନ୍ତି। ଯିଏକି ଇଡି ତରଫରୁ ମାମଲା ଲଢୁଛନ୍ତି। ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳୀଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯିବା ପରେ ତାଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି।
ଶ୍ରଦ୍ଧାଞ୍ଜଳୀଙ୍କ ଓକିଲ ଅଶୋକ ଦାସ ସୂଚନା ଦେଇ କହିଛନ୍ତି, ଯେତେବେଳେ ସ୍ୱତନ୍ତ୍ର କୋର୍ଟ ବ୍ୟକ୍ତିଗତ ଭାବେ କିମ୍ବା ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଥିଲେ, ଧାରା ୨୦୫ ଅନୁଯାୟୀ ଏକ ପ୍ରତିନିଧିତ୍ୱ ପ୍ରଦାନ କରିଥିଲି ଯେ ଆମେ ପରାମର୍ଶଦାତାଙ୍କ ମାଧ୍ୟମରେ ପ୍ରତିନିଧିତ୍ୱ କରିବୁ। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହା ପରେ ଆମେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲୁ।
ହାଇକୋର୍ଟ ଏହି ଆବେଦନର ପୁନର୍ବିଚାର କରିବା ପାଇଁ ସ୍ୱତନ୍ତ୍ର କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଏପ୍ରିଲ ୨୪ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ଏବେ ଏହି ଆବେଦନକୁ ଖାରଜ କରିଦିଆଯାଇଛି ଏବଂ କୋର୍ଟ ଶ୍ରଦ୍ଧାଞ୍ଜଳୀଙ୍କୁ ମେ ୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି ବୋଲି ଅଶୋକ ଦାସ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନେଇ ନୟାପଲ୍ଲୀ ଥାନାରେ ରୁଜୁ ହୋଇଥିବା ମାମଲାରେ ଗତ ଏପ୍ରିଲ ୧୧ ତାରିଖରେ ହାଇକୋର୍ଟ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ତେବେ ଏହି ଦମ୍ପତିଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅନ୍ୟ ମାମଲା ଥିବାରୁ ସେମାନେ ଏବେ ବି ଜେଲରେ ଅଛନ୍ତି।
Comments are closed.