ମସ୍କଟ (ଓମାନ): ଅଣ୍ଡର୍-୧୯ ଏସିଆ କପ୍ ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ରୋମାଞ୍ଚକର ଭାବେ ଭାରତ ପରାସ୍ତ କରିଛି । ଶନିବାର ଓମାନର ଅଲ୍ ଅମୀରାତ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମହାମୁକାବିଲାରେ ଭାରତ ୨ ୱିକେଟରେ ବିଜୟୀ ହୋଇ ରେକର୍ଡ ନବମ ଥର ପାଇଁ ଏସିଆ କପ୍ ଟ୍ରଫି ନିଜ ନାଁରେ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ପାକିସ୍ତାନ ପକ୍ଷରୁ ଓସମାନ ଖାନ ସର୍ବାଧିକ ୧୦୭ ରନ୍ (୧୧ଟି ଚୌକା, ୩ଟି ଛକା) ଏବଂ ଅବଦୁଲ କାଦିର ୮୦ ରନ୍ର ଦମଦାର ପାଳି ଖେଳିଥିଲେ ।
ଭାରତୀୟ ବୋଲରଙ୍କ ମଧ୍ୟରୁ କାବ୍ୟ ପଟେଲ ୪ଟି ଏବଂ ସି. ଭେଙ୍କଟ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ୩୩୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଦଳ ଶେଷ ଓଭର ପର୍ୟ୍ୟନ୍ତ ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଥିଲା । ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀ ୫ଟି ଚୌକା ସହାୟତାରେ ୮୦ ରନ୍ କରିଥିବା ବେଳେ ଆର୍ୟ୍ୟବୀର ସେହୱାଗ ୯ଟି ଚୌକା ବଳରେ ୫୮ ରନ୍ କରିଥିଲେ। ମ୍ୟାଚ୍ର ଶେଷ ଓଭରରେ ମୋହିତ ଏକ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। ସେ ୪୯ ରନର ଚମତ୍କାର ପାଳି ଖେଳିଥିଲେ ।
ଶେଷ ଓଭରରେ ଦରକାର ଥିଲା ୮ ରନ୍: ପାକିସ୍ତାନ ଦେଇଥିବା ୩୩୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ଅନ୍ତିମ ଓଭରରେ ଜିତିବା ପାଇଁ ୮ ରନର ଆବଶ୍ୟକତା ଥିଲା । ପାକିସ୍ତାନ ବୋଲର ଅହମ୍ମଦ ହୁସେନଙ୍କ ଓଭରର ପଞ୍ଚମ ବଲରେ ଚିଗୁରୁପାତି ଭେଙ୍କଟ ୧ ରନ୍ ନେଇ ଷ୍ଟ୍ରାଇକ୍ ବଦଳାଇଥିଲେ । ଏହାପରେ ଶେଷ ବଲରେ ମହମ୍ମଦ ଉଲୱା ଲଙ୍ଗ୍-ଅଫ୍ ଉପର ଦେଇ ଏକ ଦମଦାର ଚୌକା ମାରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ମହମ୍ମଦ ଉଲୱା ମାତ୍ର ୨୬ଟି ବଲରୁ ଅପରାଜିତ ୪୯ ରନର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ଏହି ଇନିଂସରେ ସେ ୫ଟି ବିଶାଳ ଛକା ଏବଂ ୩ଟି ଚୌକା ଲଗାଇଥିଲେ । ବିଜୟ ପରେ ଉଲୱା ପଡ଼ିଆରେ ତ୍ରିରଙ୍ଗା ପତାକା ଘୋଡ଼ାଇ ହୋଇ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ପଡ଼ିଆ ଭିତରକୁ ଦୌଡ଼ି ଆସି ତାଙ୍କୁ ଆଲିଙ୍ଗନ କରି ବିଜୟର ଖୁସି ମନାଇଥିଲେ ।
