ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଦୁଇଭଉଣୀ ପରସ୍ପରକୁ ଚାହିଁ ହସାହସି ହେଲେ । ମାତ୍ର ତାଙ୍କର ଏ ଖୁସି ବେଶୀ ସମୟ ତିଷ୍ଠି ରହିଲାନି । ରାତିରେ ଡିନର ଖାଇବା ବେଳେ, ମିଃ. ମାହେଶ୍ୱରୀ ଶୁଣାଇଦେଲେ ଯେ ତାଙ୍କ ଅଫିସ୍ରୁ ଜଣାଇ ଦିଆଯାଇଛି ଯେ, ଆସନ୍ତା ସପ୍ତାହରେ ଦିଲ୍ଲୀ ଯିବାପାଇଁ ତାଙ୍କ ଫ୍ଲାଇଟ୍ ଟିକେଟ୍ ବ୍ୟବସ୍ଥା ହୋଇସାରିଛି । “ତମେ ତିନିଜଣଯାକ କାଲିଠାରୁ ପ୍ୟାକିଂଗ୍ କରିବା ଆରମ୍ଭ କରିଦିଅ । କେବଳ ନିଜନିଜର ଲୁଗାପଟା ପ୍ୟାକ୍ କରିନିଅ । ଆସବାବ ପତ୍ର ଓ ଅନ୍ୟାନ୍ୟ ସବୁ ପ୍ୟାକେଜିଂଗ୍ ସଂସ୍ଥାର ଲୋକମାନେ ପ୍ୟାକ୍ କରିଦେବେ ।”
ମିଃ. ମାହେଶ୍ୱରୀଙ୍କ ଏକଥା ଶୁଣି ମିସେସ୍ ମାହେଶ୍ୱରୀଙ୍କ କାନ ଲାଲ୍ ପଡ଼ିଗଲା । ବୀରା ଓ ସମୀରା ଅବାକ୍ ହୋଇ ପରସ୍ପରକୁ ଚାହିଁ ରହିଲେ । “ଏ ପିଲେ, ତମ ଖାଇବା ଶେଷ କରି ରୁମ୍କୁ ଯାଅ । ମୁଁ ତମ ପାଇଁ
‘ହଟ୍ ଚକୋଲେଟ୍’ ନେଇକି ଯାଉଛି ।” ମିସେସ୍ ମାହେଶ୍ୱରୀ ପାଟି କରି କହିଲେ । ଯଥା କଥା
ଖାଇବାତକ ଗିଳିଦେଇ ଦୁଇଜଣ ଯାକ ସିଡିରେ ନିଜ ରୁମ୍କୁ ଗଲାବେଳେ ବୀରା କହିଉଠିଲା,
“ହେ ଭଗବାନ, ଏବେ କ’ଣ ହେବ?” “ମୋ ମୁଣ୍ଡକୁ କିଛି ବି ବୁଦ୍ଧି ଢୁକୁନି । ଭାବୁଛି କାଲିଯାଏଁ ଅପେକ୍ଷା କରିବା ।” ସମୀରାର ଏକଥାକୁ ସମର୍ଥନ କରି ବୀରା କହିଲା, “ହଁ, ହଁ କାଲିକି ଦେଖିବା ।” “ହଉ ଏବେ ଚାଲ, ଜଲଦି ଶୋଇପଡ଼ିବା ବା ଶୋଇ ପଡ଼ିଛେ ବୋଲି ବାହାନା କରିବା ।”
ସମୀରା କହିଲା, “ଆରେ ମାମା ପରା କହିଚନ୍ତି, ସେ ‘ହଟ୍ ଚକୋଲେଟ୍’ ନେଇ ଆସିବେ” – ବୀରାର ଏକଥାର ପ୍ରତିକ୍ରିୟା ପ୍ରକାଶ କରି ସମୀରା କହିଲା, “ମାମାଙ୍କ ମୁଡ଼୍ ଏବେ ଭଲ ନାହିଁ । ଚାଲ, ଠିକ୍ ହେବ, ଆମେ ସେମିତି ଶୋଇପଡ଼ିବା ।”
“ଠିକ୍ ଅଛି, ଗୁଡ଼୍ ନାଇଟ୍” ।
“ଗୁଡ଼୍ ନାଇଟ୍” ।
ଆମେରିକା ଛାଡ଼ିବା ପୂର୍ବରୁ କ’ଣ କ’ଣ କରିବାର ଅଛି, ତା’ର ଗୋଟେ ଲିଷ୍ଟ୍ କରି ବୀରା ଓ ସମୀରାଙ୍କ ହାତରେ ଧରେଇ ଦେଇ ମିଃ. ମାହେଶ୍ୱରୀ କହିଲେ, “ଏଇ ଲିଷ୍ଟ୍ ଅନୁସାରେ ଆମକୁ ସବୁକିଛି ଏ ସପ୍ତାହ ଭିତରେ ସାରିବାକୁ ହେବ ।”
କ୍ରମଶଃ
Comments are closed.