Latest Odisha News

BREAKING NEWS

‘ଛତିଶଗଡ଼ ରାଜନୀତି’, ନନ୍ଦଙ୍କୁ ହରେଇ ବିଳିବିଳଉଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ରେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳବଦଳ ଓ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହେଲାଣି। ବିଜେପିର ଟାଣୁଆ ନେତା ତଥା ପ୍ରମୁଖ ଆଦିବାସୀ ଚେହେରା ନନ୍ଦ କୁମାର ସାଏ କଂଗ୍ରେସରେ ମିଶିବା ପରେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଥିବା କୁହାଯାଉଛି।

ଏହା ବିଜେପିକୁ ପ୍ରାରମ୍ଭିକ ଝଟକା ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଛତିଶଗଡ଼ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଛତିଶଗଡ଼ର ବିରୋଧୀ ଦଳ ନେତା ନାରାୟଣ ଚନ୍ଦେଲଙ୍କର ବୟାନ ଘଟଣାକୁ ରୋଚକ କରିଛି। ଛତିଶଗଡ଼ର ବହୁ କଂଗ୍ରେସ ନେତା ତାଙ୍କ ସମ୍ପର୍କରେ ଥିବା କହିଛନ୍ତି ଚନ୍ଦେଲ। ଯାହାକୁ ନେଇ ଛତିଶଗଡ଼ ରାଜନୀତି ଚଳଚଞ୍ଚଳ ହୋଇଛି।

ଚନ୍ଦେଲଙ୍କ କହିବା ଅନୁଯାୟୀ ଛତିଶଗଡ଼ରେ କଂଗ୍ରେସର ଜଣେ କି ଦୁଇ ଜଣ ନୁହେଁ ବହୁ ନେତା ତାଙ୍କ ଯୋଗାଯୋଗରେ ରହିବା ସହ ବିଜେପିରେ ମିଶିବାକୁ ଚାହୁଁଛନ୍ତି। ବହୁ କଂଗ୍ରେସ ନେତାଙ୍କ ମିଶିବା ପ୍ରସ୍ତାବ ରହିଥିବା ବେଳେ ନିର୍ବାଚନ ତାରିଖ ପାଖେଇଲେ ବିଜେପିରେ ସେମାନେ ମିଶିବେ ବୋଲି ସେ କହିଛନ୍ତି।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ତୁରନ୍ତ କଡା ପ୍ରତିକ୍ରିୟା ରଖିଛନ୍ତି। ନାରାୟଣ ଚନ୍ଦେଲ ଆଗେ ନିଜ ନେତାଙ୍କ ସହ ସମ୍ପର୍କ ରଖନ୍ତୁ ବୋଲି କହିଛନ୍ତି ବଘେଲ। ବସ୍ତରରେ ଦଳୀୟ ବୈଠକ ହେଉଛି କିନ୍ତୁ ଚନ୍ଦେଲଙ୍କୁ ଦେଖିବାକୁ ମିଳୁନି ବୋଲି କହିଛନ୍ତି ବଘେଲ।

ତେଣୁ ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ନେତାଙ୍କ ଏଭଳି ଲଢେଇ ବେଶ ରୋଚକ ହୋଇଛି। ସେପଟେ ନନ୍ଦ କୁମାର ସାଏ ବିଜେପିର ସବୁଠୁ ଟାଣୁଆ ନେତା ଓ ଛାତିଶଗଡ଼ ରାଜନୀତିରେ ପ୍ରମୁଖ ଆଦିବାସୀ ଚେହେରା ଭାବେ ଗଣାଯାଆନ୍ତି।

ଛତିଶଗଡ଼ରେ ବିଜେପିର ପ୍ରମୁଖ ପଦପଦବୀ ସମ୍ଭାଳିଥିବା ନନ୍ଦ କୁମାର ବିଜେପି ଛାଡି କଂଗ୍ରେସରେ ମିଶିବା ପରେ କଂଗ୍ରେସର ଆଦିବାସୀ ଭୋଟ ବ୍ୟାଙ୍କ ଦୃଢ଼ ହୋଇଥିବା କୁହାଯାଉଛି। ଏଭଳି ସ୍ଥିତିରେ ଚନ୍ଦେଲଙ୍କ ବୟାନ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ଟି ଏସ ସିଂଦେଓଙ୍କ ମଧ୍ୟରେ ପୂର୍ବରୁ ଲଢେଇ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲଢେ଼ଇ ହାଇକମାଣ୍ଡଙ୍କ ପାଖକୁ ମଧ୍ୟ ଯାଇସାରିଛି। ଏଭଳି ସ୍ଥିତିରେ ଚନ୍ଦେଲଙ୍କ ମନ୍ତବ୍ୟ ଅନୁଯାୟୀ କେଉଁ କଂଗ୍ରେସ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଛତିଶଗଡ଼ରେ ଆଗାମୀ ନିର୍ବାଚନରେ ସର୍ବ ଆଦିବାସୀ ସମାଜ ଏଥର ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିସାରିଛି। ୫୦ ରୁ ୫୫ ସିଟରେ ଆଦିବାସୀ ସମ୍ପ୍ରଦାୟର ବେଶ ପ୍ରଭାବ ରହିଥିବା ବେଳେ ଆଦିବାସୀ ସମାଜ ପ୍ରାର୍ଥୀ ଦେଲେ କେଉଁ ଦଳକୁ କ୍ଷତି ପହଞ୍ଚିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସରେ ନନ୍ଦ କୁମାର ସାଏ ମିଶିବା ଓ ଚନ୍ଦେଲଙ୍କ ମନ୍ତବ୍ୟ ରୋଚକ ସ୍ଥିତି ସୃଷ୍ଟି କରିଛି।

Comments are closed.