Latest Odisha News

ବଢିଲା ତାତି; ସକାଳୁ ସକାଳୁ ଅସହ୍ୟ ଦେଲା ଗରମ ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱର:ରାଜ୍ୟରେ ବଢୁଛି ତାତି । ଅସହ୍ୟ ହେଉଛି ଗୁଳୁଗୁଳି । ରାଜଧାନୀରେ ସକାଳ ୮ଟା ସୁଦ୍ଧା ତାପମାତ୍ରା ୩୨.୬ ଡିଗ୍ରୀ ଥିବାବେଳେ ଆଦ୍ରତା ୭୯ ପ୍ରତିଶତ ରହିଛି । ଗତକାଲିଠାରୁ ମଧ୍ୟ ଆଜି ତାତି ଅଧିକ ରହିଛି । ତାପମାତ୍ରା ଏବଂ ଆଦ୍ରତା ଆହୁରି ବଢିବାର ସମ୍ଭାବନା ରହିଛି ।

ସକାଳୁ ସକାଳୁ ତାପମାତ୍ର ସହ ଅସହ୍ୟ ଗୁଳୁଗୁଳି ଜନଜୀନକୁ ଅସ୍ତବ୍ୟସ୍ତ କରିଦେଲାଣି । ଖରାକୁ ନେଇ ସିଆରସିସି ମଧ୍ୟ ସତର୍କ ସୂଚନା ଦେଇଛି । ଗତକାଲି   ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୧୪ଟି ସହରରେ ତାପମାତ୍ରା ୪୦ ଏବଂ ତାଠାରୁ ଅଧିକ ଥିବା ରେକର୍ଡ କରାଯାଇଛି । ଗତକାଲି ବୌଦ୍ଧରେ ସର୍ବାଧିକ ତାପାମାତ୍ରା୪୨ ଡିଗ୍ରୀ ଥିବାବେଳେ ଝାରସୁଗୁଡା, ସମ୍ବଲପୁର, ରାଉରକେଲା, ଅନୁଗୁଳ, ସୁନ୍ଦରଗଡରେ ୪୧ ଡିଗ୍ରୀ ଉପରେ ରହିଛି ।

ଏପଟେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଉଛି । ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ତଥା ବର୍ଷା ସମ୍ଭାବନା ଥିବା ନେଇ ଆକଳନ କରାଯାଉଥିଲା । ହେଲେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ପଡିବ ନାହିଁ ବୋଲି ଅନୁମାନ କରାଯିବା ପରେ ତାତିରୁ ମୁକ୍ତି ଆଶା ମଉଳି ଯାଇଛି ।

ଅନ୍ୟପକ୍ଷେ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ କେତେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ।

ଆଗାମୀ କିଛି ଦିନ ଯାଏ ବିଭିନ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.