Latest Odisha News

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଅରବିନ୍ଦ’ ଗିରଫ

ନୂଆଦିଲ୍ଲୀ: ‘ଇଣ୍ଡିଆ ଏହିଦ ନ୍ୟୁଜ୍’ (India Ahead News)ର କମର୍ସିଆଲ ବା ବ୍ୟବସାୟିକ ମୁଖ୍ୟ ତଥା ପ୍ରଡକ୍ସନ କଣ୍ଚ୍ରୋଲର ଅରବିନ୍ଦ କୁମାର ସିଂହ ଗିରଫ। ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବାବେଳେ ଗିରଫ କରିଛି। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରଚାର ଅଭିଯାନରେ ସମ୍ପୃକ୍ତ ଏକ କମ୍ପାନୀକୁ ହାଓ୍ୱାଲା ଜରିଆରେ ବେଆଇନ ଭାବେ ୧୭ କୋଟି ଟଙ୍କା ଦିଆଯାଇଥିବା ଅଭିଯୋଗରେ ଅରବିନ୍ଦ ସିଂହଙ୍କ ବିରୋଧରେ ମାମଲା ରହିଛି।

ମିଳିଥିବା ସୂଚନା ଅନୁସାରେ, ସିବିଆଇ ହାଓ୍ୱାଲା ଅପରେଟରଙ୍କ ଠାରୁ ଅରବିନ୍ଦ ସିଂହଙ୍କ ହ୍ୱାଟସଆପ ମେସେଜର ପ୍ରମାଣ ପାଇବା ପରେ ଏହାର ପର୍ଦ୍ଦାଫାଶ କରିଛି। ଯାହାକୁ ନେଇ ଏବେ ଅଡୁଆରେ ଅରବିନ୍ଦ ସିଂହ। ଜୁନ୍ ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ହାଓ୍ୱାଲା ଜରିଆରେ ୧୭ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିଲା। ଯାହା ଗୋଆ ନିର୍ବାଚନ ସମୟରେ ଆମ ଆଦମୀ ପାର୍ଟିର ବାହ୍ୟ ବିଜ୍ଞାପନ ପ୍ରଚାର ପାଇଁ ରଥ ମିଡିଆକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୨୨ ମସିହା ଫେବୃଆରୀ ୧୪ ତାରିଖରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦିଲ୍ଲୀ ସରକାରର ଅବକାରୀ ନୀତି (ପ୍ରତ୍ୟାହାର ସରିଛି) ତଦନ୍ତର ସମ୍ମୁଖୀନ ହୋଇଛି। କାରଣ ଏହା ଲାଇସେନ୍ସ ସୁରକ୍ଷିତ କରିବା ପାଇଁ ଲାଞ୍ଚ ଦେଇଥିବା କେତେକ ମଦ ବ୍ୟବସାୟୀଙ୍କୁ ଅନୁଗ୍ରହ କରିଥିବା ଅଭିଯୋଗ ରହିଛି। ଏହି ଅଭିଯୋଗକୁ ଆପ୍ କିନ୍ତୁ ଖଣ୍ଡନ କରିଛି। ସିବିଆଇର ତଦନ୍ତରୁ ଅବକାରୀ ନୀତିରେ ଅନିୟମିତତା, ଲାଇସେନ୍ସଧାରୀଙ୍କ ପାଇଁ ଅଗ୍ରାଧିକାର, ଲାଇସେନ୍ସ ଫି’ରେ ରିହାତି ଆଦି ତଥ୍ୟ ପଦାକୁ ଆସିଛି।

ଏବେ ଅରବିନ୍ଦ କୁମାର ସିଂହଙ୍କୁ ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିବା ତ୍ୱରିତ କାର୍ଯ୍ଯାନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବୋଲି କୁହାଯାଉଛି।

Comments are closed.