ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା
ଉପନ୍ୟାସ : ସରିଯାଇଥିବା ଋତୁ
ଔପନ୍ୟାସିକ : ବିଜୟ ପ୍ରଧାନ,
ପ୍ରକାଶକ ‐ ସାହିତ୍ୟ ଶ୍ବେତପଦ୍ମା, ଭୁବନେଶ୍ବର
ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ୨୩୦/-
ସାହିତ୍ୟରେ ଉପନ୍ୟାସର ସ୍ଥାନ ସର୍ବଦା ସ୍ବତନ୍ତ୍ର । ଚରିତ୍ର ଓ ଘଟଣା ଗଢିବାକୁ ଏଠି ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଥାଏ । ଏକଦା ଓଡ଼ିଆ ଉପନ୍ୟାସ ହିଁ ଓଡ଼ିଆ ପାଠକ ସମାଜର ପଠନ ସ୍ପୃହାକୁ ଉଜ୍ଜୀବିତ କରି ରଖିଥିଲା । ସମୟକ୍ରମେ ସେ ସୁବର୍ଣ୍ଣ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କିଛି ଗୁଣାତ୍ମକ ଉପନ୍ୟାସ ଆଜି ବି ପାଠକୀୟ ଉତ୍କଣ୍ଠା ସୃଷ୍ଟି କରିବାରେ ସମର୍ଥ ହୋଇଛି । ଏବେ ଉପନ୍ୟାସ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଥିଲେ ମଧ୍ୟ ଭଲ ଉପନ୍ୟାସଟିଏ ଆଜି ବି ପାଠକୀୟ ଆଦୃତିର ଅପେକ୍ଷା ରଖେ । ଉପନ୍ୟାସ ଲେଖୁଥିବା ମୁଷ୍ଟିମେୟ ସ୍ରଷ୍ଟାଙ୍କ ଭିତରେ ଶ୍ରୀଯୁକ୍ତ ବିଜୟ ପ୍ରଧାନ ଜଣେ ଆଦୃତ ଶିଳ୍ପୀ । ଆବେଗପ୍ରବଣ ଚିତ୍ରକଳ୍ପମୟ ଭାଷା, କାହାଣୀ ଗଢ଼ିବାର ସ୍ବତନ୍ତ୍ର ଶୈଳୀ, ପରିବର୍ତ୍ତିତ ସମୟକୁ ଧରି ରଖିବାର ପ୍ରଚେଷ୍ଟା ବା ଅତୀତ ପ୍ରବଣତା ସର୍ବୋପରି ଛଳଛଳ କାବ୍ୟିକ ଉପସ୍ଥାପନା ତାଙ୍କ ଉପନ୍ୟାସକୁ ଏକ ଭିନ୍ନ ଉଚ୍ଚତା ପ୍ରଦାନ କରିଛି । ପୁଣି ନାୟକ ନାୟିକାର ନାଟକୀୟ ମନସ୍ତାତ୍ତ୍ବିକ ବିଶ୍ଳେଷଣ ତାଙ୍କ ଉପନ୍ୟାସକୁ ଆହୁରି ସ୍ବତନ୍ତ୍ର କରି ଗଢିତୋଳେ । “ସରିଯାଇଥିବା ଋତୁ”କୁ କେବଳ ଏକ ରୋମାଣ୍ଟିକ ଉପନ୍ୟାସ ଭାବରେ ନୁହେଁ ବରଂ ମୁଗ୍ଧ ନେତ୍ରରେ ଅବଲୋକନ କଲେ ହିଁ ଏହାର ବୈଚିତ୍ର୍ୟ ଦୃଷ୍ଟିଗୋଚର ହୁଏ । ମୁଖ୍ୟ ନାୟିକା ‘ବନାନୀ’ ଭଳି ଏହି ଉପନ୍ୟାସଟି ମଧ୍ୟ ସର୍ବଗୁଣସମ୍ପନ୍ନ । କଥାକାର ଏଥିରେ ତତ୍କାଳୀନ ଭବାନୀପାଟଣା, କଳାହାଣ୍ଡିର କିଛି ସୁନାମଧନ୍ୟ କବି, ଲେଖକ, ଶିକ୍ଷକ, ମନ୍ତ୍ରୀ, ଯନ୍ତ୍ରୀ ଓ ରାଜକୀୟ ଚରିତ୍ରମାନଙ୍କୁ କଥା ପ୍ରସଙ୍ଗରେ ଆଲୋଚନା ପରିସରକୁ ଆଣି ଉପନ୍ୟାସଟିକୁ ଯଥା ସମ୍ଭବ ବାସ୍ତବଧର୍ମୀ କରିପାରିଛନ୍ତି । ପ୍ରାୟତଃ ଖଳଚରିତ୍ର ବହିର୍ଭୁତ ତଥା ପ୍ରଥମ ପୁରୁଷରେ ରଚିତ ଏହି ଉପନ୍ୟାସଟିର ଚମତ୍କାର ଆବେଦନ ଓ ପ୍ରତି ମୁହୂର୍ତ୍ତରେ ଏକ ରହସ୍ୟମୟ ଉତ୍କଣ୍ଠା ପାଠକକୁ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଅତିକ୍ରାନ୍ତ କରାଇ ଯବନିକା ପର୍ଯ୍ୟନ୍ତ ଟାଣିନିଏ । ଆଉ ଶେଷରେ ତା’ ମନରେ ଆଙ୍କିଦିଏ କିଛି ସୁନ୍ଦର ବିଷାଦର ଚିରହରିତ ସ୍ମୃତି । ବାସ୍ ସେଇ ସ୍ମୃତିଟିକକ ହିଁ ‘ପ୍ରେମ’ ।
ବନାନୀ…….ସୁନ୍ଦରୀ ପୁଣି ପ୍ରେମିକା…. ଛାତି ତଳର ଅଦେଖା ଘା’…..ନା ଦେଖିହୁଏ ନା ଦେଖେଇହୁଏ । କିନ୍ତୁ ସେ ଯନ୍ତ୍ରଣା ଟିକକ ଅନୁଭବ କରିହୁଏ । ସେଥିପାଇଁ ତ ସିଏ ପ୍ରେମିକା । ସେ ହସେ ପୁଣି ହସେଇପାରେ, ଜଳେ ପୁଣି ଜାଳିପାରେ….ହୃଦୟ ଭିତରେ ଦିକିଦିକି ହୋଇ ଜଳୁଥିବା ନିଆଁ ଧାସ ଟିକେ…..
ସେ ନିଆଁର ମଧୁର ଦହନ ନାୟକକୁ ତମାମ ଜୀବନ କେବଳ ପ୍ରେମରେ ହସେଇଛି, ଜଳେଇଛି, ପାଖରୁ ଦୂରେଇ ଯାଇ ଛାଇ ଭଳି ପାଖେ ପାଖେ ରହିଛି । ଶରୀର ଶାରୀରିକ ଭାବେ ଆଉ କାହାର ହେଇଯାଇଛି ମାତ୍ର ମନ ଓ ହୃଦୟ ରହିଛି ତା’ ପ୍ରଥମ ପ୍ରେମ ପାଖରେ……
ଏଠି ନାଁ କେହି ଜିତିଛନ୍ତି ନାଁ ହାରିଛନ୍ତି । କେବଳ ସ୍ମୃତି ହୋଇ ରହିଯାଇଛି । ଏଇ ବୋଧେ ପ୍ରେମ……. ଆମ ସମୟର ସୁପରିଚିତ କଥାକାର ବିଜୟ ପ୍ରଧାନଙ୍କର ପ୍ରେମୋପନ୍ୟାସ “ସରିଯାଇଥିବା ଋତୁ”ର ଏଇ ହେଉଛି ଅନ୍ତଃସ୍ବର ।
ବନାନୀ ସର୍ବଗୁଣ ସମ୍ପନ୍ନା ଏଇଥି ପାଇଁ ଯେ, ସେ କେବଳ ରୂପ ବା ଗୁଣରେ ନୁହେଁ ପରିସ୍ଥିତି ଅନୁସାରେ ଖୁବ୍ ଶୀଘ୍ର ଅଥଚ ଦୃଢ଼ ନିଷ୍ପତ୍ତି ନେଇପାରେ । ହଠାତ୍ ରାଗିଯାଇପାରେ ପୁଣି ମୁହୂର୍ତ୍ତକେ ରୋମାଣ୍ଟିକ୍ ହୋଇପାରେ । ସାରା ବଲାଙ୍ଗୀର ଓ ଭବାନୀପାଟଣାର ଭୁଗୋଳ ଓ ଇତିହାସ ତା ଜିଭ ଅଗରେ । ଖୁବ୍ ଦୂରଦୃଷ୍ଟି ସମ୍ପନ୍ନା । ହଁ…ସେ କେବଳ ଭଲ ପାଇ ଜାଣେ । ପ୍ରତିଦାନରେ ସେ ସେୟା ହିଁ ଆଶା କରେ । ସେଇ ନିସର୍ତ୍ତ ଭଲ ପାଇବା ଟିକକ ହିଁ ତାର ଆଜୀବନ ସମ୍ବଳ । ସେ କହେ ‘ପ୍ରେମ ଯୋଗୁଁ ଏ ସୃଷ୍ଟିଟା ସୁନ୍ଦର, ଶତ୍ରୁ ଯୋଗୁଁ ନୁହେଁ….’ ବିଜୟଙ୍କ କାହାଣୀ ରୂପ ନିଏ ଭବନୀପାଟଣାରୁ । ତାଙ୍କ ନାୟକ (?) ଓ ନାୟିକା ବନାନୀ ପାଖାପାଖି ରୁହନ୍ତି । ପାରିବାରିକ ସଂପର୍କ ଉତ୍ତମ । ସେଇ କିଶୋର ବୟସରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରୀତିର ମୂଳଦୁଆ ପଡେ । ସାଙ୍ଗସାଥି ସମସ୍ତେ ଜାଣନ୍ତି । ଦୁହିଁଙ୍କ ଯୁଗଳବନ୍ଦୀ ଈର୍ଷଣୀୟ । ବନାନୀ ଯେମିତିକା ରୋକଠୋକ୍ ଝିଅ ନିଜ ଭଲପାଇବାକୁ ପ୍ରମାଣ କରିବାକୁ ତାକୁ ବିଶେଷ କିଛି କସରତ କରିବାକୁ ପଡିବ ନାହିଁ ଏକଥା ନାୟକ ଜାଣେ ମାତ୍ର ସେ କିନ୍ତୁ ଡରେ । ଲାଜ କରେ, ଭୟ କରେ ସମାଜକୁ, ପରିବାରକୁ । ତଥାପି ସେ ବନାନୀକୁ ଜୀବନ ଠାରୁ ଅଧିକ ଭଲ ପାଏ । ତା’ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ନହେଲେ ଫୁର୍ଲିଝରଣ୍ ପିକନିକରେ ଗୋଟିଏ ଦିଆସିଲି ପାଇଁ ହାଡଭଙ୍ଗା ଶୀତରେ ମାଇଲ ବ୍ୟାପୀ ଅନ୍ଧାରୁଆ ଜଙ୍ଗଲକୁ ଅତିକ୍ରମ କରିବା କ’ଣ ସହଜ କଥା ! କାଳେ ପରିବାର ଲୋକେ ବା ଅନ୍ୟମାନେ ବନାନୀକୁ କ’ଣ ୟାଡୁସାଡୁ କହିବେ ସେଇଥି ପାଇଁ ନା ଏତେ କଥା ! ପ୍ରେମ ଆଉ କ’ଣ କି ? କିନ୍ତୁ ହାୟ ! ଦିଆସିଲି ନେଇ ସେ ପହଞ୍ଚିଲା ବେଳକୁ ରୋଷେଇ ଶେଷ ହେଲାଣି । କେହି ତ ଆଣି ନାହାନ୍ତି । ତେବେ ନାୟକର ସବୁ ପରିଶ୍ରମ ବ୍ୟର୍ଥ, ବଦଳରେ ଶୁଣିବାକୁ ପଡିଲା କିଛି ମଧୁର ଭର୍ତ୍ସନା । ସାନ ଭଉଣୀ କହିଲା ‘ବୋତଲରେ ଅତରକୁ ଯେତେ ନିବୁଜ କରି ରଖିଲେ ମଧ୍ୟ ଏତେ ଟିକେ ଫାଙ୍କ ପାଇଗଲେ ଯେମିତି ନିଜ ବାସ ଚହଟାଇ ଦିଏ; ସେମିତି ପ୍ରେମରେ ପଡିଥିବା ଲୋକ…… ତେବେ ଦିଆସିଲି ଆସିଲା କେଉଁଠୁ ? ରହସ୍ୟ ! କେମିତି
ପ୍ରେମକୁ ନିକଟରୁ ବୁଝିବାକୁ ହେଲେ ପ୍ରେମିକ କି ପ୍ରେମିକାଟେ ହେବା ନିହାତି ଆବଶ୍ୟକ । ନିଜେ ନ ଜଳିଲେ ଦହନର ଯନ୍ତ୍ରଣା ଜାଣିବ କେମନ୍ତ ? ପ୍ରେମର ଋତୁ ତ ଆରମ୍ଭ ହୋଇଛି ମାତ୍ର ! ରାତି ଯୋଗୁଁ ଦିନ ସୁନ୍ଦର, ଦୁଃଖ ପାଇଁ ସୁଖ ଆଉ ଅଭିମାନ ପାଇଁ ପ୍ରେମ କେଡେ ମହନୀୟ, ଏ ପ୍ରବାଦ ଯୁଗରୁ ପ୍ରଚଳିତ । ବନାନୀ ଅଭିମାନ କରି ଜାଣେ । ଅଭିମାନ କଲେ ସେ ଆହୁରି ସୁନ୍ଦର ଦିଶେ । ଅବଶ୍ୟ ପ୍ରେମିକ ଆଖିରେ ପ୍ରେମିକାମାନେ ସଦାକାଳେ ସୁନ୍ଦର । ବନାନୀ ଭଲ ପାଏ …….ଖୁବ୍ ଭଲ ପାଏ । ଯଦି ସେ ଭଲ ପାଇବାକୁ ମାପି ହୁଅନ୍ତା, ତା’ ହେଲେ ସେ ପରୀକ୍ଷାରେ ଏକ ନମ୍ବରରେ ରୁହନ୍ତା । କିନ୍ତୁ ସୁଖର ଦିନ ସଙ୍କୁଚିତ ହୋଇ ଆସେ । ଯେମିତି ବଲାଙ୍ଗୀର ମହାରାଜା ଉଦିତ୍ ପ୍ରତାପ ଦେଓଙ୍କ ନିର୍ମିତ ‘ଆଶା ସାଗର’ ପୁଷ୍କରିଣୀ ବୟାଅଶି ଏକରରୁ ସଙ୍କୁଚିତ ହୋଇ ଆଜି ଚାଳିଶି ଏକରରେ ପହଞ୍ଚିଲାଣି । ସେମିତି ବନାନୀର ପ୍ରେମ । ଦୁଇ ପ୍ରେମ ପକ୍ଷୀ ଦିନେ ଡେଣା ମେଲାଇ ଗାନ୍ଧିଛକରୁ ସତ୍ୟମ୍ ସିନେମା, ବୁଢାରଜାଙ୍କଠୁ ମାଣିକେଶ୍ବରୀଙ୍କ ଯାଏଁ ପୁଣି ଷ୍ଟେଚ୍ୟୁ ଛକରୁ ଭବାନୀ ଟକିଜ ଯାଏଁ ଉଡି ବୁଲୁଥିଲେ । ପୁଣି ଦିନେ ଅଲଗା ବି ହୋଇଗଲେ । ବନାନୀକୁ ବହୁତ ଭଲ ପାଏ ବୋଲି ନାୟକ କିନ୍ତୁ କେବେ ମୁହଁ ଖୋଲି କହି ପାରିନି । କାହିଁକି ?
ବନାନୀକୁ ନେଇ ନାୟକର ଚିନ୍ତା ସର୍ବଦା ଅନ୍ତର୍ମୁଖୀ । ବନାନୀ କେବଳ ତାର, ତା’ ଉପରେ ତା’ର ସାର୍ବଭୌମ ଅଧିକାର । ବନାନୀ ବି ସେୟା ଚାହେଁ । ମାତ୍ର ବନାନୀକୁ ବିବାହ କରି ଘର ସଂସାର କରିବାକୁ ନାୟକ ଶେଷ ପର୍ଯ୍ୟନ୍ତ ଅନିଶ୍ଚିତ । ବନାନୀ ବିହା ହୋଇ ଚାଲିଯାଏ ଆଉ କାହାର ହୋଇ । ନାୟକର ଜୀବନ ଧୂସର ମରୁରେ ରୂପାନ୍ତର ହୁଏ । ହଁ ଚାଲିଯିବା ପୂର୍ବରୁ ବନାନୀ ତାକୁ ଏକ ସୁନ୍ଦର ଧଳା ରୁମାଲ ଦେଇଯାଏ ଯେଉଁଥିରେ ଦୁଇକୋଣରେ ଦୁଇଜଣଙ୍କ ନାଁ ମଝିରେ ଏକ ଗୋଲାପ ଫୁଲ ସହିତ ଏମ୍ବ୍ରାଡୋରୀ କରାଯାଇଥାଏ । ତା’ ସହିତ ଗୋଟିଏ ଲଟେରୀ ଟିକଟ ଥାଏ ଯାହାର ଉଠାଣ ଠିକ୍ ଆଠଦିନ ପରେ । ବନାନୀ ସିନା ଚାଲିଗଲା ତା’ ରୁମାଲଖଣ୍ଡିକ ଶେଷ ସ୍ମୃତି ହିସାବରେ ରହିଥାଉ । କିନ୍ତୁ ହାୟ ! ତାକୁ ବି ନାୟକ ନିଜ ଅବହେଳାବଶତଃ କେଉଁଠି ହଜାଇଦିଏ ଆଉ ତା’ ସହିତ ହଜାଇଦିଏ ବନନୀର ଶେଷ ସ୍ମୃତିଟିକକ । ତେବେ ରୁମାଲଖଣ୍ଡିକ ଗଲା କୁଆଡେ ? କିଛି ‘କାହିଁକି”ର ଉତ୍ତର ଅସମାହିତ ହୋଇ ଥାଉ । ପାଠକ ନିଜେ ତାକୁ ଖୋଜୁ । ଖୋଜୁଖୋଜୁ ଆହୁରି ଚରିତ୍ର ଓ ଘଟଣା ଜାଲରେ ଛନ୍ଦି ହେଉ । ଶେଷ ପର୍ଯ୍ୟନ୍ତ ଆପେ ଟାଣି ହୋଇ ଯାଉ । ଏଇ ଆକର୍ଷଣ ହେଉଛି ଔପନ୍ୟାସିକ ବିଜୟ ପ୍ରଧାନଙ୍କ କଳାକୁଶଳତା ।
ବିଜୟଙ୍କ ଉପନ୍ୟାସର ପ୍ରତ୍ୟେକ ପ୍ଲଟରେ ଏଭଳି କିଛି ରୋମାଞ୍ଚ ଶେଷ ପର୍ଯ୍ୟନ୍ତ ପାଠକକୁ ଆନମନା କରେ । ପ୍ରେମକୁ ନେଇ ଏତେ ସୁନ୍ଦର ଅଭିବ୍ୟକ୍ତି ଖୁବ୍ ନିରୋଳା ମନେହୁଏ । ବିଶେଷତଃ ବନାନୀର ପ୍ରତ୍ୟେକଟି କାର୍ଯ୍ୟକଳାପ ଓ ବକ୍ତବ୍ୟ ଭିତରେ ଲୁଚିରହିଥିବା ପ୍ରଚ୍ଛନ୍ନ ରହସ୍ୟ ଉପନ୍ୟାସର ପ୍ରମୁଖ ଆକର୍ଷଣ । ଯେମିତି ବାହାଘର ପୂର୍ବଦିନ ବନାନୀ ନାୟକ ଘରକୁ ଖାଇବାକୁ ଆସେ ଓ ଖିରୀ ଖାଇବା ବାହାନାରେ ନାୟକର ହାତକୁ କାମୁଡି ରକ୍ତାକ୍ତ କରିଦିଏ । ପୁଣି ତାକୁ ଖିରୀ ଖୁଆଇଦେଇ ଚଟାପଟ କହିଦିଏ ‘ନିଜ ହାତରୁ ତ ରକ୍ତ ଖାଇଛ, ଏବେ ମୋ ହାତରୁ ଖିରୀ ଟିକେ ଖାଇନିଅ, ସାରା ଜୀବନ ମନେରଖିବ’ । ଖୁବ୍ ଭାବୋଦ୍ଦୀପକ । ଜୀବନର ଗତି ସର୍ବଦା ଅସ୍ଥିର । କେତେବେଳେ କେଉଁ ମୁହୂର୍ତ୍ତରେ ଚିହ୍ନାଜଣା ଲୋକଟି ପାଖରୁ ଦୂରେଇଯିବ ତ ପୁଣି କେବେ ଅତି ନିକଟରୁ ହାବୁଡିଯିବ । ଅନେକଦିନ ପରେ ବନାନୀ ପୁଣି ଭେଟିଛି ନାୟକକୁ ନିହାତି ଅପ୍ରତ୍ୟାଶିତ ଓ ଆକସ୍ମିକ ଭାବେ । ପୂର୍ବଭଳି ସେମିତି ଚୁଲୁବୁଲି, ରୋମାଣ୍ଟିକ୍, ବେପରୱା ମାତ୍ର ନିଜ ପ୍ରେମ ସଂପର୍କକୁ ନେଇ ସମ୍ବେଦନଶୀଳ । ଜୀବନରେ ଆକସ୍ମିକତା ନରହିଲେ ଆନନ୍ଦ ରହେନି । ଯେମିତି ବନାନୀର ରୁମାଲ ଓ ଲଟେରୀ ଟିକଟ ଆଉ ଜଣକର ଭାଗ୍ୟକୁ ବଦଳାଇ ଦେବା ପ୍ରସଙ୍ଗ ହେଉ ବା ସେଦିନ ପିକନିକର ‘ଦିଆସିଲି’ ରହସ୍ୟ । ସବୁ ରହସ୍ୟ ଉନ୍ମୋଚିତ ହୁଏ କିଛି ବନାନୀ ଦ୍ବାରା ଆଉ କିଛି ପରିସ୍ଥିତ ଦ୍ବାରା ।
ଶେଷବେଳକୁ ବନାନୀ ଦୂରାରୋଗ୍ୟ କ୍ୟାନସରରେ ପୀଡିତା ହୋଇ ଜୀବନ ହାରିଛି । ନାୟକର ବିବଶତା ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ମଧ୍ୟ ବନାନୀକୁ ଭଲପାଏ ବୋଲି କହିପାରେନାହିଁ, ଏପରିକି ମୃତ୍ୟୁ ପରେ ବି ! ଯେଉଁଠିକି ତାର ପ୍ରତ୍ୟେକ ସକାଳ ଆରମ୍ଭ ହୁଏ ବନାନୀ ଠାରୁ ଆଉ ରାତି ଶେଷ ହୁଏ ତାରି ଭାବନାରେ । ଜୀବନ ଯୁଦ୍ଧରେ ହାରି ଯାଇଛି ବନାନୀ । ଚାଲିଯାଇଛି ଅଫେରା ରାଇଜକୁ । ପଛରେ ଛାଡିଯାଇଛି ଅନେକ ମଧୁର ସ୍ମୃତି, ଅନେକ ମୁହୂର୍ତ୍ତ ଆଉ ଅନେକ ପଦଚିହ୍ନ । ବୋଧହୁଏ ସେଇ ସ୍ମୃତିଟିକକ ହିଁ ନାୟକର ସମ୍ବଳ । ପୃଥିବୀର ସବୁ ଚର୍ଚ୍ଚିତ ପ୍ରେମକାହାଣୀ ଭଳି ବନାନୀର ପ୍ରେମ ମଧ୍ୟ ଅଧୁରା, ଅସମ୍ପୁର୍ଣ୍ଣ, ସେଥିପାଇଁ ତ ସେ ସ୍ମରଣୀୟ । “ସରିଯାଇଥିବା ଋତୁ”ର କାହାଣୀ ସରିଯାଇଛି ହେଲେ ପ୍ରଚ୍ଛଦରେ ଶାଶ୍ବତ ପ୍ରେମର ଋତୁ ଆରମ୍ଭ ହୋଇଛି । ଯେପର୍ପ୍ୟନ୍ତ ପୃଥିବୀରେ ପ୍ରେମ ବିଦ୍ୟମାନ ସେପର୍ଯ୍ୟନ୍ତ ବନାନୀ ଓ ନାୟକ ଭଳି ଚରିତ୍ରମାନେ ବାରମ୍ବାର ଜନ୍ମ ନିଅନ୍ତି । କେଜାଣି କେଉଁ ଜନ୍ମରେ ପୁଣି ଥରେ ଏକାଠି ହୋଇ ଯାଇପାରନ୍ତି !
ବାସ୍ତବିକ “ସରିଯାଇଥିବା ଋତୁ” ଏକ ଉଚ୍ଚାଙ୍ଗ ରୋମାଣ୍ଟିକ ଉପନ୍ୟାସ । ନାରୀ ପୁରୁଷ ଚରିତ୍ର ମନୋବିଶ୍ଳେଷଣରେ ଲେଖକଙ୍କ ଚମତ୍କାରିତା, ବିଷୟବସ୍ତୁ ଚୟନ, ଘଟଣା, ଚରିତ୍ରଗୁଡିକୁ ବାସ୍ତବାଭିମୁଖୀ କରିବାରେ ଅନ୍ୟ ପ୍ରସିଦ୍ଧ ଲୋକଚରିତ୍ରର ସଂଯୋଜନ ତଥା ତତ୍କାଳୀନ ଭବନାପାଟଣା ସହରର ଦୃଶ୍ୟାୟନ ଉପନ୍ୟାସଟିକୁ ଆକର୍ଷଣୀୟ କରିପାରିଛି । ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ଉପନ୍ୟାସଟିର ବିପୁଳ ପାଠକୀୟତା କାମନା କରୁଛୁ ।
୭୩୭୭୮୮୯୯୧୬
ଅଠରନଳା
ପୁରୀ
Comments are closed.