ବଲାଙ୍ଗୀର : ସାମାନ୍ୟ ବଚସାରୁ ଛୁରାମାଡ଼ । ଛୁରାମାଡ଼ରେ ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର । ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଏବଂ ଗୁରୁତର ଜଣକ ହେଲେ କନ୍ଧପାଳିପଡାର ପ୍ରେମ ସାହୁ ।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଦୁଇ ବନ୍ଧୁ ଶୀତଳ ଷଷ୍ଠୀ ଯାତ୍ରା ଦେଖି ଫେରୁଥିଲେ । ୨ ଜଣ ଯୁବକ ଆସି ନୃସିଂହ ମନ୍ଦିର ନିକଟରେ ସରୋଜ ଓ ପ୍ରେମଙ୍କୁ ଅଟକାଇଥିଲେ । ଦୁର୍ବୃତ୍ତମାନଙ୍କ ସହ ତାଙ୍କର ପ୍ରଥମେ ବଚସା ହୋଇଥିଲା ପରେ ୨ ଦୁର୍ବୃତ୍ତ ସରୋଜଙ୍କୁ ଛୁରାମାଡ଼ କରିଥିଲେ । କିନ୍ତୁ ପ୍ରେମ ଏହାକୁ ବିରୋଧ କରିବାରୁ ପ୍ରେମଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ । ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରୋଜ ଓ ପ୍ରେମଙ୍କୁ ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମ ଏବେବି ଚିକିତ୍ସାଧୀନ ଅଛନ୍ତି । ତେବେ ପ୍ରେମଙ୍କ କହିବାନୁଯାୟୀ, ଯେଉଁ ଦୁଇଜଣ ଯୁବକ ଛୁରାମାଡ କଲେ ସେମାନଙ୍କ ମଧ୍ୟରୁ ସେ ଜଣଙ୍କୁ ଚିହ୍ନିଛନ୍ତି । ତେବେ ତାଙ୍କ ବୟାନ ଅନୁସାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜୁଛି । କିନ୍ତୁ ଏହି ଘଟଣାରେ ଏଯାଏଁ କାହାକୁ ଗିରଫ କରାଯାଇନାହିଁ ।
Comments are closed.