Latest Odisha News

BREAKING NEWS

ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

ତିରୁଅନନ୍ତପୁରମ୍: ରଣଜୀ ଟ୍ରଫି ଏଲାଇଟ୍ ଗ୍ରୁପ୍ ସିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଦଳ କେରଳ ବିପକ୍ଷରେ ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । କେରଳର ପ୍ରଥମ ପାଳିର ସ୍କୋର ୪୦୪ ରନ୍ ର ଜବାବ ଦେବାକୁ ଯାଇ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ୱିକେଟ୍ ହରାଇ ୧୧୪ ରନ୍ କରିଛି । ଓଡ଼ିଶା ବର୍ତ୍ତମାନ କେରଳ ସ୍କୋରଠାରୁ ୨୯୦ ରନ୍ ପଛରେ ରହିଛି ଏବଂ ଦଳକୁ ଏକ ବଡ଼ ଭାଗୀଦାରୀର ଆବଶ୍ୟକତା ରହିଛି । ମ୍ୟାଚ୍‌ର ପ୍ରଥମ ଦିନରେ କେରଳ ୧୦୧/୫ ରନ୍‌ରେ ସଙ୍କଟରେ ଥିବାବେଳେ, ଦ୍ୱିତୀୟ ଦିନରେ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ମହମ୍ମଦ ଅଜହରୁଦ୍ଦିନ୍ (ଅପରାଜିତ ୧୩୯ ରନ୍) ଏବଂ ଅଭିଜ୍ଞ ଅଲରାଉଣ୍ଡର ଆଦିତ୍ୟ ସର୍ୱାଟେ (୫୩ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ଉଭୟ ୭ମ ୱିକେଟ୍ ପାଇଁ ୯୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରି ଦଳକୁ ୪୦୪ ରନ୍‌ରେ ପହଞ୍ଚାଇଥିଲେ । ଓଡ଼ିଶା ପକ୍ଷରୁ ବୋଲିଂରେ ଲଳିତ ଯାଦବ ସର୍ବାଧିକ ୩ଟି ୱିକେଟ୍ ଅଧିକାର କରିଥିଲେ । ଏହାସହ ସୌମ୍ୟ ଲେଙ୍କା, ରାଜେଶ ମହାନ୍ତି ଏବଂ ନିନାଦ ରଥୱା ପ୍ରତ୍ୟେକେ ୨ଟି ଲେଖାଏଁ ୱିକେଟ୍ ନେଇ କେରଳର ଇନିଂସକୁ ଅନ୍ତ କରିଥିଲେ ।

୪୦୪ ରନ୍ ର ପିଛା କରିବାକୁ ଆସିଥିବା ଓଡ଼ିଶା ପକ୍ଷରୁ ଓପନର୍ ଗୌରବ ଚୌଧୁରୀ (ଯିଏକି ଗୁଜରାଟ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିଲେ) ଏଠାରେ ମଧ୍ୟ ଦୃଢ଼ ପ୍ରଦର୍ଶନ କରି ୫୦ ରନ୍ ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତାଙ୍କ ସହ ଶାନ୍ତନୁ ମିଶ୍ର (୩୨ ରନ୍) ପ୍ରଥମ ୱିକେଟ୍ ପାଇଁ ୬୦ ରନ୍‌ର ଭାଗୀଦାରୀ କରିଥିଲେ । କେରଳର ବାମହାତୀ ସ୍ପିନର୍ ଆଦିତ୍ୟ ସର୍ୱାଟେ ଓଡ଼ିଶାକୁ ଦୁଇଟି ଏବଂ ଜଳଜ ସକ୍ସେନା ଗୋଟିଏ ଝଟକା ଦେଇଛନ୍ତି । ଓମ୍ ମୁଣ୍ଡେ (୧୪ ରନ୍) ମଧ୍ୟ ଆଉଟ୍ ହୋଇଥିବାରୁ ବର୍ତ୍ତମାନ ଅଧିନାୟକ ଶୁଭ୍ରାଂଶୁ ସେନାପତି (୧୬ ରନ୍) ଏବଂ ସନ୍ଦୀପ ପଟ୍ଟନାୟକ (୨ ରନ୍) କ୍ରିଜରେ ଅଛନ୍ତି ଏବଂ ତୃତୀୟ ଦିନରେ ଦଳର ସ୍କୋରକୁ ଆଗକୁ ବଢ଼ାଇବାର ଦାୟିତ୍ୱ ସେମାନଙ୍କ କାନ୍ଧରେ ରହିଛି ।

ସଂକ୍ଷିପ୍ତ ସ୍କୋର:
କେରଳ ପ୍ରଥମ ପାଳି: ୪୦୪/୧୦ (ମହମ୍ମଦ ଅଜହରୁଦ୍ଦିନ୍ ୧୩୯, ଆଦିତ୍ୟ ସର୍ୱାଟେ ୫୩; ଲଳିତ ଯାଦବ ୩/୫୩)

ଓଡ଼ିଶା ପ୍ରଥମ ପାଳି: ୧୧୪/୩ (ଗୌରବ ଚୌଧୁରୀ ୫୦, ଶାନ୍ତନୁ ମିଶ୍ର ୩୨; ଆଦିତ୍ୟ ସର୍ୱାଟେ ୨/୨୭)

Leave A Reply

Your email address will not be published.