ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ପରିଷଦ ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅନୁପସ୍ଥିତି ପାଇଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି।
ସେହିପରି ଉଭୟ ଶାସକ ଏନଡିଓ ଓ ବିରୋଧୀଙ୍କ ପ୍ରତି ସମଦୂରତା ଆଭିମୁଖ୍ୟ ରଖିବା ପାଇଁ ପରିଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଯୋଗୁଁ ଅନୁପସ୍ଥିତ ଥିଲେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କୁ ଶୁକ୍ରବାର ଏକ ଚିଠି ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦ୍ୱାରା ଗୃହୀତ ଅଧ୍ୟାଦେଶ ଯୋଗୁ ଦେଶରେ ସଂଘୀୟ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରାଯାଉଥିବା ନେଇ ଉଦବେଗ ପ୍ରକାଶ କରିବାରୁ ସେ ଏହି ବୈଠକକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏହି ବିବାଦୀୟ ଅଧ୍ୟାଦେଶ ମେ ୧୧ ସୁପ୍ରିମକୋର୍ଟଙ୍କ ଆଦେଶକୁ ପ୍ରଭାବଶାଳୀ ଭାବରେ ରଦ୍ଦ କରିଛି ଯାହା ଦିଲ୍ଲୀ ସରକାରଙ୍କ କାର୍ଯ୍ୟପାଳିକାକୁ ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ ପ୍ରଦାନ କରିଛି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଏକ ସ୍ପଷ୍ଟୀକରଣ ରଖି କହିଛନ୍ତି, ଏହା ପଞ୍ଜାବର ସ୍ୱାର୍ଥକୁ ପୂରଣ କରିବାରେ ବିଫଳ ହୋଇଛି। ଗତ ବର୍ଷ ଅଗଷ୍ଟରେ ପୂର୍ବ ବୈଠକ ସମୟରେ ସେ ଗ୍ରାମୀଣ ବିକାଶ ପାଣ୍ଠି , ନଡା ପୋଡି ଏବଂ କୃଷକଙ୍କ ଚିନ୍ତା ଭଳି ପ୍ରସଙ୍ଗ ଉଠାଇଥିଲେ, ଯାହାକୁ ସେ ଦାବି କରିଛନ୍ତି ଯେ କେନ୍ଦ୍ର ଦ୍ୱାରା ଅଣଦେଖା କରାଯାଇଛି। ଏହି ବୈଠକର ପ୍ରସଙ୍ଗ ଉପରେ ଆଲୋଚନା କମ୍ ବରଂ ଫଟୋ ସେସନ ଅଧିକ ବୋଲି ସେ କହିଛନ୍ତି।
ସେହିପରି ତିନି ପ୍ରମୁଖ ବିରୋଧୀ ଦଳ ନେତା, ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଏବଂ ବିହାରର ନୀତୀଶ କୁମାର ଏହି ବୈଠକକୁ ବର୍ଜନ କରିଛନ୍ତି। ଯେଉଁମାନେ କି ଆଗାମୀ ସାଧାରଣ ନିର୍ବାଚନରେ ଏକାଠି ହୋଇ ମୋଦୀ ସରକାର ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି।
ନୀତି ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି, ବୈଠକରେ ୧୧ ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। କିନ୍ତୁ ଅନ୍ୟ କେତେଜଣ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ମଧ୍ୟ ମୁଁ ଏଭଳି ଉପସ୍ଥିତି ଦେଖିଛି। ହୁଏତ ସେମାନଙ୍କର କିଛି ବ୍ୟକ୍ତିଗତ କାରଣ ଥାଇପାରେ।
ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବୈଠକରେ ନିଜ ନିଜ ରାଜ୍ୟର ସ୍ୱରକୁ ପ୍ରତିନିଧିତ୍ୱ ନକରି ଅନୁପସ୍ଥିତ ଥିବା ମୁଖ୍ୟମନ୍ତ୍ରୀମାନଙ୍କୁ ସମାଲୋଚନା କରିଛି ବିଜେପି। ନୀତି ଆୟୋଗ ଦେଶର ବିକାଶ ପାଇଁ ନୀତିଗତ ଢାଞ୍ଚା ଏବଂ ରୋଡମ୍ୟାପ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ବିଜେପି କହିଛି। ଯେଉଁମାନେ ଏହି ବୈଠକକୁ ବର୍ଜନ କରିଛନ୍ତି ସେମାନେ ଦେଶର ବିକାଶ ତଥା ରାଜ୍ୟର ବିକାଶକୁ ଗୁରୁତ୍ବ ଦେଉନଥିବା କହିଛନ୍ତି।
ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ୍ ବୈଠକକୁ ବର୍ଜନ କରିବା ନିଜ ରାଜ୍ୟର ବିକାଶକୁ ବର୍ଜନ କରିବା ସହ ସମାନ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି।
ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଏହି ବୈଠକରେ ଅଣ-ବିଜେପି ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି କେନ୍ଦ୍ରର ଆଭିମୁଖ୍ୟକୁ ସ୍ପଷ୍ଟ ସୂଚାଉଛି।
Comments are closed.