ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ବଢୁଛି ଚାପ। ଲୋକଙ୍କଠୁ ଆରମ୍ଭ କରି ବିରୋଧୀ ଚାପ ପକାଉଥିବା ବେଳେ ଖୋଦ ଦଳୀୟ ହାଇକମାଣ୍ଡଙ୍କ ପକ୍ଷରୁ ମଧ୍ୟ ତୁରନ୍ତ ଗ୍ୟାରେଣ୍ଟି ପୂରଣ ପାଇଁ କୁହାଯାଇଛି। ଯାହାକୁ ନେଇ ସିଦ୍ଦରମେୟା ସରକାରଙ୍କ ଚିନ୍ତା ବଢିଛି।
ଆଗକୁ ଅନ୍ୟ ରାଜ୍ୟର ନିର୍ବାଚନ ଥିବାରୁ ସେଠାରେ ମଧ୍ୟ କଂଗ୍ରେସ କର୍ଣ୍ଣାଟକର ଗ୍ୟାରେଣ୍ଟି ଫର୍ମୁଲା ଆପଣାଉଛି। ଏଭଳି ସ୍ଥିତିରେ କର୍ଣ୍ଣାଟକରେ ଦିଆଯାଇଥିବା ସବୁ ପ୍ରତିଶ୍ରୁତିକୁ ପ୍ରଥମେ ପୂରଣ କରିବାକୁ ଦଳ ଯୋଜନା କରିଛି। କର୍ଣ୍ଣାଟକରେ ସଠିକ ଢଙ୍ଗରେ ସବୁ ଗ୍ୟାରେଣ୍ଟି ପୂରଣ କଲେ ଦଳ ଏହାକୁ ଅନ୍ୟ ରାଜ୍ୟରେ ଏକ ଉଦାହରଣ ଦେଇ ପ୍ରଚାରର ପ୍ରମୁଖ ଅସ୍ତ୍ର କରିବ।
ସେପଟେ ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ସିଦ୍ଦରମେୟା ସରକାର ଉପରେ ଅଧିକ ଆର୍ଥିକ ଚାପ ପଡିବ। ତେଣୁ କିଭଳି ପ୍ରତିଶ୍ରୁତି ପୂରଣ ହେବ ଓ ସମସ୍ତ ହିତାଧିକାରୀ ଯେଭଳି ଯୋଜନାର ଲାଭ ପାଇବେ ସେ ନେଇ କଂଗ୍ରେସ ସରକାର କାମ ଆରମ୍ଭ କରିଛି।
ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଦିନକ ପରେ ଅର୍ଥାତ ଜୁନ ଏକ ତାରିଖରେ କର୍ଣ୍ଣାଟକରେ କ୍ୟାବିନେଟ ବୈଠକ ହେବ। ତେଣୁ ଏହି ଗ୍ୟାରେଣ୍ଟି ସମ୍ପର୍କରେ ଆଲୋଚନା ହୋଇଛି। କଂଗ୍ରେସ ଦ୍ୱାରା ଦିଆଯାଇଥିବା ୫ ଟି ଗ୍ୟାରେଣ୍ଟି ପୂରଣ ପାଇଁ ସରକାରଙ୍କ ଉପରେ ୫୨ ହଜାର କୋଟି ଟଙ୍କାର ବୋଝ ପଡିବ।
ରାଜ୍ୟପାଳ ଥାବରଚାନ୍ଦ ଗେହଲଟ ମନ୍ତ୍ରୀମାନଙ୍କ ବିଭାଗ ଉପରେ ମୋହର ମାରିବା ପରେ ସିଦ୍ଦରମେୟା ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।
କଂଗ୍ରେସର ୫ ଟି ଗ୍ୟାରେଣ୍ଟି ମଧ୍ୟରେ ଯାଉଥିବା ବିଭାଗ ମଧ୍ୟରୁ ପରିବହନ ବିଭାଗ ରାମଲିଙ୍ଗା ରେଡ୍ଡିଙ୍କୁ ମିଳିଥିବା ବେଳେ ଶକ୍ତି ବିଭାଗ କେ ଜେ ଜର୍ଜଙ୍କୁ ମିଳିଛି। ସେହିଭଳି ଖାଦ୍ୟ ଯୋଗାଣ ବିଭାଗ କେ ଏଚ ମୁନିୟାପା, ସରଣପ୍ରକାଶ ପାଟିଲଙ୍କୁ ଦକ୍ଷତା ବିକାଶ ଓ ଲକ୍ଷ୍ମୀ ହେବେଲକରଙ୍କୁ ମହିଳା ଶିଶୁ ବିକାଶ ବିଭାଗ ଦିଆଯାଇଛି। ତେଣୁ ସେମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
ଯେମିତି ହେଉ ଗ୍ୟାରେଣ୍ଟି ତୁରନ୍ତ ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରିକି ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟର ଆସନ୍ନ ନିର୍ବାଚନ ସହ କର୍ଣ୍ଣାଟକରେ ଲୋକସଭା ନିର୍ବାଚନରେ ମଧ୍ୟ ଗ୍ୟାରେଣ୍ଟି ପୂରଣକୁ ମୁଖ୍ୟ ଅସ୍ତ୍ର କରିବ। କର୍ଣ୍ଣାଟକରେ କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ୨୮ ଟି ସିଟ ମଧ୍ୟରୁ ୨୦ ଟି ସିଟ ଜିତିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
ନୂତନ ଭାବେ ଦାୟିତ୍ୱ ନେଇଥିବା ମନ୍ତ୍ରୀଙ୍କୁ ରାଜ୍ୟରେ ୨୦ ଟି ଲୋକସଭା ସିଟ ଜିତିବାକୁ ସବୁ ଉଦ୍ୟମ କରିବାକୁ କୁହାଯାଇଛି। ଯେଉଁଥିପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଗ୍ୟାରେଣ୍ଟି ପୂରଣ କରିବା ଆବଶ୍ୟକ ବୋଲି କୁହାଯାଇଛି।
ଏପରିକି କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ବିରୋଧୀ ମଧ୍ୟ ଦଳକୁ ଟାର୍ଗେଟ କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଉଭୟ ବିଜେପି ଓ ଜେଡିଏସ ନେତାମାନେ ତୃଣମୂଳ ସ୍ତରରେ ଏହାକୁ ମୁଖ୍ୟ ମୁଦ୍ଦା କରିଥିବା ବେଳେ କିଛି ନେତା ଲୋକଙ୍କୁ ବିଜୁଳି ବିଲ ଓ ବସରେ ମହିଳାମାନେ ବିଲ ନ ଦେବାକୁ ପ୍ରବର୍ତାଉ ଥିବା ଦେଖିବାକୁ ମିଳିଛି।
ଯାହାକୁ ନେଇ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଥିବା ବେଳେ କଂଗ୍ରେସର ଗ୍ୟାରେଣ୍ଟି ପୂରଣ ଉପରେ ସମସ୍ତଙ୍କର ନଜର ରହିଛି।
Comments are closed.