ନୟାଗଡ଼: ରଣପୁର ବ୍ଲକ୍ ମୟୁରଝାଳିଆଠାରେ ହୋଇଥିବା ଲାଟେରାଇଟ୍ ଖଣି ଦୁର୍ନୀତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମଙ୍ଗଳବାର ଜିଏସଟି ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଏହି ଚଢ଼ାଉରେ ମୁଖ୍ୟତଃ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ୪ ଜଣ ଖଣି ମାଲିକଙ୍କ କାର୍ଯ୍ଯାଳୟ ଓ ଘରେ ଚଢାଉ କରାଯାଇଥିଲା।
ରଣପୁର ତହସିଲଦାର ଇପ୍ସିତ ସାହୁ ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ଜିଏସଟି ଅଧିକାରୀମାନେ ଖଣି ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ପାଇଁ ଅନୁରୋଧ କରିଥିଲେ। ଆମେ ସେମାନଙ୍କୁ ପୂର୍ବରୁ ଆବଶ୍ୟକ ତଥ୍ୟ ଯୋଗାଇ ଦେଇଥିଲୁ, କିନ୍ତୁ କିଛି ଅସଙ୍ଗତି ଯୋଗୁଁ ସେମାନେ ଖଣି ସମ୍ପର୍କରେ ଅତିରିକ୍ତ ତଥ୍ୟ ଦେବାକୁ ପୁଣି ଥରେ ଆମ ନିକଟରେ ଦାବି କରିଥିଲେ।
ତେବେ ତହସିଲଦାର ଏହି ଚଢ଼ାଉକୁ ଖଣ୍ଡନ କରିବା ସହ କୌଣସି ଚଢ଼ାଉ ହୋଇନଥିବା ସ୍ପଷ୍ଟ କରିଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଅଧିକାରୀମାନେ କେବଳ ଖଣି ଓ ସମ୍ପୃକ୍ତ ଖଣି ଶ୍ରମିକଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ।
ସୂଚନାଯୋଗ୍ୟ, ଛଅ ଜଣ ଅଧିକାରୀ; ରଣପୁର ତହସିଲ ଅଧୀନରେ ଆର୍ଆଇ ଥିବା ପ୍ରଶାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ସୁପରଭାଇଜର ପ୍ରମୋଦ କୁମାର ବେହେରା, ଚନ୍ଦ୍ରଶେଖର ନନ୍ଦ, ବର୍ତ୍ତମାନ ଭାପୁରରେ କାର୍ଯ୍ୟରତ କନିଷ୍ଠ ରାଜସ୍ବ ସହାୟକ ଅରୁଣ କୁମାର ସେଠୀ ଓ ଖଣ୍ଡପଡ଼ାରେ କାର୍ଯ୍ୟରତ ସେକ୍ସନ ଅଫିସର ମହମ୍ମଦ ସୁଲତାନ ହକ୍ ମୟୂରଝାଳିଆ ଖଣିରୁ ଲାଟେରାଇଟ୍ ବେଆଇନ ଭାବେ ଉତ୍ତୋଳନର ଖଣି ମାଲିକଙ୍କ ସହ ଯୋଗସୂତ୍ର ରଖିଥିବା ଅଭିଯୋଗ ଆଧାରରେ ଏତଲା ପରେ ନିଲମ୍ବିତ ହୋଇଛନ୍ତି। ଏହି ମାମଲାରେ ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ଚାନ୍ଦପୁର ଥାନାରେ ମଧ୍ଯ ଏଫଆଇଆର ରୁଜୁ ହୋଇଛି।
ନିଲମ୍ବିତ ହେବା ପୂର୍ବରୁ ଏହି 6 ଅଧିକାରୀ ପ୍ରଥମେ ଛୁଟିରେ ଯାଇଥିଲେ। ନିକଟରେ ଜାମିନ୍ରେ ଆସି ପୁନର୍ବାର ଅଫିସ କାର୍ଯ୍ୟରେ ଯୋଗ ଦେବାକୁ ଉଦ୍ୟମ କରୁଥିଲେ। ହେଲେ କାମରେ ଯୋଗ ଦେଲେ କାଗଜ ପତ୍ର ହେରଫେର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସଭିଙ୍କୁ ନିଲମ୍ବିତ କରିଦେଇଥିଲେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ।
ଏହି ମାମଲାରେ ଜିଲ୍ଲା ବାହାରେ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ରହିଛି ବୋଲି ଜଣାପଡ଼ିଛି। ଯେଉଁମାନେ କି ସରକାରୀ କର୍ମଚାରୀ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି।
Comments are closed.