ଭୁୂବନେଶ୍ୱର: ବାହନଗା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସୂଚନା ଅପଡେଟ କଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୧୭୦ ମୃତଦେହର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ ବାଲେଶ୍ୱରରେ ୮୫ ମୃତଦେହ ଚିହ୍ନଟ ହୋଇଥିଲା । ପରେ ଭୁବନେଶ୍ୱରରେ ଆହୁରି ୮୫ ମୃତଦେହ ଚିହ୍ନଟ ହୋଇ ସାରିଛି । ତଥାପି ଆହୁରି କିଛି ମୃତଦେହ ଚିହ୍ନଟ ହୋଇପାରିନି । ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ତାହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।
ଅନ୍ୟପକ୍ଷେ ୧୨୦୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କୁ ବିଭିନ୍ନ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ୧୦୦୯ ଜଣଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ସାରିଛି । ଆଉ ୧୯୮ ଜଣ ଚିକିତ୍ସିତ ହେଉଛନ୍ତି । ଏମାନେ ବିଭିନ୍ନ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଚିକିତ୍ସିତ ହେଉଥିବା ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଛି । କେବଳ ଜଣଙ୍କର ଅବସ୍ଥା ଗୁରୁତର ଅଛି ବୋଲି ଡାକ୍ତରଖାନା ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।
ସୂଚନାଥାଉ କି, ବାହନଗାଠାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଲୋକ ଆହତ ହୋଇ ଚିକିତ୍ସିତ ହେଉଥିଲେ । ମୃତାହତଙ୍କ ସୂଚନା ପାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି ଟୋଲଫ୍ରି ନମ୍ବର ଜାରି କରାଯାଇଛି । ସେମାନଙ୍କ ସମ୍ପର୍କୀୟ ଏଠାରେ ପହଞ୍ଚିବାକୁ ଚାହୁଁଥିଲେ ଏହି ନମ୍ବରରେ ଯୋଗଯୋଗ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହି ଟୋଲ ଫ୍ରି ନମ୍ବର ୨ଟି ହେଲା ୧୮୦୦୩୪୫୦୦୬୧ ଏବଂ ୧୯୨୯ ।
Comments are closed.