Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣା: ଏମ୍ସରେ ଏବେ ବି ୮୨ ଶବ ରହିଛି କହିଲେ ବିଏମସି କମିଶନର କୁଲାଙ୍ଗେ

ଭୁବନେଶ୍ୱର: ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧୧ ଜଣ ମୃତକଙ୍କ ଶବ ପଠାଯାଇଛି, ଅନ୍ୟ ୮୨ରୁ ଅଧିକ ଶବ ବର୍ତ୍ତମାନ ଏମ୍ସ-ଭୁବନେଶ୍ୱରରେ ରହିଛି ଏବଂ ଦାବିଦାରଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଡିଏନଏ ଟେଷ୍ଟ ଅପେକ୍ଷାରେ ଅଛନ୍ତି। ସେଥି ମଧ୍ୟରୁ ୫୦ ଟି ମୃତ ଶରୀର ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ପଠାଯାଇଛି।

ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଏମସି ଅନ୍ୟ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ସହଯୋଗ କରୁଛି। ଦାବିଦାରଙ୍କ ଯାଞ୍ଚ ଏବଂ ଚିହ୍ନଟ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଆମେ ସେମାନଙ୍କ ସହ ସକ୍ରିୟ ଭାବେ କାମ କରୁଛୁ ବୋଲି କୁଲାଙ୍ଗେ କହିଛନ୍ତି।

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପୂର୍ବରୁ ମୃତକ କାହା ସହିତ କଥା ହୋଇଥିଲେ ଏବଂ କେଉଁ ଠିକଣାରେ ଥିଲେ ଆଦି ମଧ୍ୟ ଯାଞ୍ଚ କରାଯାଉଛି। କାରଣ ଗୋଟିଏ ଶବ ପାଇଁ ଅନେକ ପରିବାର ଦାବି କରୁଛନ୍ତି। ତେଣୁ ଶବ ଯେପରି ନିଜ ପରିବାରକୁ ହସ୍ତାନ୍ତର ହେବ ତାକୁ ଗୁରୁତ୍ୱ ଦେବାକୁ ଯାଇ ପରିଚୟ ପତ୍ର ବ୍ୟତୀତ ଏହିସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି। ବିଭିନ୍ନ ପର୍ଯ୍ୟାୟ ଜାଞ୍ଚ ପରେ ହିଁ ମୃତ ଶରୀର ହସ୍ତାନ୍ତର ହେଉଛି।

ବିଏମସି ରେଳବାଇ ଏବଂ ଏମ୍ସ-ଭୁବନେଶ୍ୱର ମଧ୍ୟରେ ସମନ୍ୱୟ ରକ୍ଷା କରୁଛି। ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ଦେବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଥିବା ବେଳେ ଯେଉଁମାନେ ମୃତଦେହ ନେବା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ବର୍ତ୍ତମାନ ସୁଧା ବହୁ ପରିବାର ଲୋକ ଫଟୋ ଏବଂ ପରିଚୟ ପତ୍ର ଦେଖାଇ ମୃତ ଶରୀର ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି। ମୃତ ବ୍ୟକ୍ତିଙ୍କ ଶେଷ କଲର ଭେରିଫିକେସନ ହେଉଛନ୍ତି।

Comments are closed.