Latest Odisha News

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ ପାଲଟିଛି।

ସିଡିଏରେ ପେଟାନାଳ ଡ୍ରେନ୍ ମରାମତି କାମର ଭିତ୍ତିପ୍ରସ୍ତର ଶିଳାନ୍ୟାସ ବେଳେ କଟକ ମହାନଗର ନିଗମ ମେୟର ଓ କମିଶନରଙ୍କ ସହ କଂଗ୍ରେସ ସଦସ୍ୟଙ୍କ ଧସ୍ତାଧସ୍ତି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ମେୟର ସୁବାସ ସିଂହଙ୍କୁ କଟାକ୍ଷ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଶିଳାନ୍ୟାସ କରିସାରିଥିବା ଦର୍ଶାଇ ପ୍ରକଳ୍ପ ସ୍ଥଳରେ ମେୟରଙ୍କ ନଡିଆ ଭାଙ୍ଗିବା ନିଷ୍ପତ୍ତି ଉପରେ ସାମନ୍ତରାୟ ପ୍ରଶ୍ନ ଉଠାଇଛନ୍ତି। ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ବିନା କେବଳ ବିଜେଡି ନେତା ମେୟରଙ୍କ ଶିଳାନ୍ୟାସ ବେଳେ ଉପସ୍ଥିତ ଥିଲେ କହିଛନ୍ତି ଦେବାଶିଷ। ତେଣୁ ଏହା ସରକାରୀ କାର୍ଯ୍ୟକ୍ରମ ନା ବ୍ୟକ୍ତିଗତ ଆୟୋଜନ ସେ ନେଇ ଦେବାଶିଷ ପ୍ରଶ୍ନ କରି ସମାଲୋଚନା କରିଛନ୍ତି। ଦେବାଶିଷ ସାମନ୍ତରାୟ ଜୋର ଦେଇ କହିଛନ୍ତି ଯେ ସେ ପ୍ରକଳ୍ପ ତଦାରଖ କରିବାକୁ ଯାଇଥିଲେ ନା ଶିଳାନ୍ୟାସ କରିବାକୁ ଯାଇଥିଲେ ତାହା କେବଳ ମେୟର ସୁବାସ ସିଂ ହିଁ ସ୍ପଷ୍ଟ କରିପାରିବେ।

ଦେବାଶିଷ ସାମନ୍ତରାୟ ଆହୁରି ମଧ୍ୟ କହିଛନ୍ତି ଯେ ପେଟାନାଳ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ୨୦୨୧ରେ ପ୍ରସ୍ତୁତ ହୋଇସାରିଛି।  ମେୟରଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ନେତା ତଥା ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କୁ ଡକାନଯିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ମେୟର ସୁବାସ ସିଂହ ଓ ସିଏମସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଶନିବାର ଏହି ଘଟଣା ଘଟିଥିବା ବେଳେ ମେୟର, କମିଶନର, ବିଭିନ୍ନ ଓ୍ୱାର୍ଡର କର୍ପୋରେଟର, ବିଜେଡି କର୍ମୀଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଧାୟକ ମହମ୍ମଦ ମୋକିମଙ୍କୁ ଏହି କାର୍ଯ୍ୟକ୍ରମରେ ନ ଡାକିବାରୁ କଂଗ୍ରେସ କର୍ମୀମାନେ ମେୟରଙ୍କ ସହ ମୁହାଁମୁହିଁ ହୋଇଥିଲେ। ପରେ ଦେବାଶିଷଙ୍କ ତେରଛା ବାଣ କଟକରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଚିନ୍ତା ବଢାଇ ଦେଇଛି।

Comments are closed.