ଭୁବନେଶ୍ୱର: ସିଗନାଲ ପଏଣ୍ଟର ରକ୍ଷଣାବେକ୍ଷଣ କାର୍ଯ୍ୟ ପରେ ସଠିକ୍ ପରୀକ୍ଷା ନକରି ସିଗନାଲ ଗିୟରକୁ ପୁନଃ ସଂଯୋଗ କରିବା ପାଇଁ ସିଗନାଲ କର୍ମଚାରୀମାନେ “ଶର୍ଟକଟ” ବ୍ୟବହାର କରୁଥିବାରୁ ରେଳବାଇ ବୋର୍ଡ ତାଗିଦ କରିଛି। ଜୁନ ୨ରେ ବାଲେଶ୍ବର ବାହାନାଗା ଟ୍ରେନ ଦୁର୍ଘଟଣା ପୂର୍ବରୁ ଏପରି ତାଗିଦ କରାଯାଇଥିଲା। କିନ୍ତୁ ଅବହେଳା ପାଇଁ ଏପରି ଏକ ବିପଦ ଆସିଲା ବୋଲି କଂଗ୍ରେସ ନେତା ଜୟରାମ ରମେଶଙ୍କ ଏକ ଟ୍ବିଟ୍ ପରେ ଜଣାପଡ଼ିଛି। ଯେଉଁଥିରେ ମୃତ୍ୟୁ ସଂଖ୍ୟା ଏଯାବତ ୨୮୯ ଛୁଇଁଛି ।
କହିରଖୁଛୁ ଦୁର୍ଘଟଣା ପାଇଁ ସିଗନାଲ ସିଷ୍ଟମରେ କୌଣସି ଜାଲିଆତି ହୋଇଥାଇପାରେ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ କହିଥିଲେ। ଆଉ ପୂର୍ବତନ କଂଗ୍ରେସ ନେତା ଜୟରାମ ରମେଶଙ୍କ ଏହି ଟ୍ବିଟ୍ ସମାନ କଥା ସୂଚାଉଛି।
ରକ୍ଷଣାବେକ୍ଷଣ ସମୟରେ “ପଏଣ୍ଟର ସଠିକ୍ ପରୀକ୍ଷା ନକରି ସିଗନାଲ ଗିୟରକୁ ପୁନଃ ସଂଯୋଗ କରିବା” ଏବଂ “ପ୍ରାରମ୍ଭିକ କାର୍ଯ୍ୟ ସମୟରେ ଭୁଲ୍ ତାର ଲାଗିବା”କୁ ସର୍ଟକଟ ବୋଲି କହିଛି ରେଳବାଇ। ରେଳବାଇ ବୋର୍ଡ ସଦସ୍ୟ (ଭିତ୍ତିଭୂମି) ଆରଏନ ସୁଙ୍କରଙ୍କ ଦ୍ୱାରା ଏପ୍ରିଲ ୩ରେ ଏକ ଚିଠିରେ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ବିଭିନ୍ନ ଜୋନରୁ ଚଳିତ କ୍ୟାଲେଣ୍ଡର ବର୍ଷରେ ୫ଟି ଘଟଣା ଉଲ୍ଲେଖ କରାଯାଇଥିଲା।
ଚିଠି ଅନୁଯାୟୀ, ସୁଇଚ ବା ଟର୍ଣ୍ଣଆଉଟ୍ ରିପ୍ଲେସମେଣ୍ଟ ପାଇଁ ବ୍ଲକ୍ ପରେ ପଏଣ୍ଟ୍ଗୁଡ଼ିକର ସଠିକ୍ ପରୀକ୍ଷା ନକରି ସିଗନାଲ ଓ ଟେଲିକମ୍ କର୍ମଚାରୀଙ୍କ ଦ୍ୱାରା ସିଗନାଲ ଗିୟରଗୁଡ଼ିକୁ ପୁନଃ ସଂଯୋଗ କରାଯାଇଥିଲା। ଏଭଳି ଅଭ୍ୟାସ ମାନୁଆଲ୍ ଏବଂ କୋଡାଲ ବ୍ୟବସ୍ଥାକୁ ଦୁର୍ବଳ କରୁଥିବା ଦର୍ଶାଉଛି ଏବଂ ଟ୍ରେନ୍ ଚଳାଚଳରେ ସୁରକ୍ଷା ପାଇଁ ଏହା ଏକ ସମ୍ଭାବ୍ୟ ବିପଦ ଏବଂ ଏହାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି।
ଏହି ଚିଠିରେ ଚଳିତ ବର୍ଷ ଜାନୁଆରି ୨୭ରୁ ମାର୍ଚ୍ଚ ୨୨ ମଧ୍ୟରେ ଘଟିଥିବା ୫ଟି ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରେ ରହିଛି:
- ଲକ୍ଷ୍ନୌ ଜଙ୍କସନ୍ ଷ୍ଟେସନ୍ ପରିବର୍ତ୍ତେ ଓ୍ୱାଶିଂ ଲାଇନ୍ ଏରିଆରେ ପ୍ରବେଶ କରୁଛି ରାଜ୍ୟ ରାଣୀ ଏକ୍ସପ୍ରେସ୍
- ମୁମ୍ବାଇର ଖାରକୋପର ଷ୍ଟେସନରେ ଏକ ଜରୁରୀକାଳୀନ କ୍ରସଓଭର ଉପରେ ଏକ ଲୋକାଲ ଟ୍ରେନ ଲାଇନଚ୍ୟୁତ ହୋଇଛି
- ଲୁଧିଆନା ଷ୍ଟେସନରେ ରିଭର୍ସ ସମୟରେ ସରବତ ଦାଭଲ ଏକ୍ସପ୍ରେସର ଇଞ୍ଜିନ ଲାଇନଚ୍ୟୁତ ହୋଇଛି
- ମଧ୍ୟପ୍ରଦେଶର ହୋଶଙ୍ଗାବାଦର ବଗରତବା ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଜରୁରୀକାଳୀନ କ୍ରସଓଭରରୁ ଭୁଲ୍ ଟ୍ରାକକୁ ଯାଉଥିଲା
- ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା ଜାରି ରଖିବା ପାଇଁ ଲୁପ ଲାଇନରେ ଥିବା ବେଳେ କର୍ଣ୍ଣାଟକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସକୁ ଭୁଲ ଟ୍ରାକ୍ ଦିଆଯାଇଛି
ବୁଧବାର କଂଗ୍ରେସର ରାଜ୍ୟସଭା ସଦସ୍ୟ ଜୟରାମ ରମେଶ ଏହି ଚିଠିକୁ ଟୁଇଟ୍ କରିବା ପରେ ଏହା ଭାଇରାଲ୍ ହୋଇଛି। ଟ୍ରେନ ଦୁର୍ଘଟଣା ବାବଦରେ ସିବିଆଇ ଯଦିଓ ତଦନ୍ତ କରୁଛି ହେଲେ ଯେଉଁ ଚିଠି ବାବଦରେ ରେଳବାଇ ବୋର୍ଡ ଲେଖିଥିଲା ସେ ନେଇ ତଦନ୍ତ ହେବ କି ବୋଲି ପୂର୍ବତନ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
As the CBI investigates the Balasore train disaster will it also inquire why this letter was written and what follow up action was taken? pic.twitter.com/tYxqxHTko4
— Jairam Ramesh (@Jairam_Ramesh) June 14, 2023
ଜୁନ୍ ୨ ତାରିଖରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାର ଏକ ସମ୍ଭାବ୍ୟ କାରଣ ଭାବେ ରେଳମନ୍ତ୍ରୀଙ୍କ ସମେତ ଅଧିକାରୀମାନେ ସିଗନାଲ ହସ୍ତକ୍ଷେପର ସଙ୍କେତ ଦେଇଛନ୍ତି। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦୦ରୁ ଅଧିକ ଆହତ ହୋଇଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ଭାରତର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି କୁହାଯାଉଛି।
ରେଲଓ୍ବେ ବୋର୍ଡର ଏହି ଚିଠିରୁ ସ୍ପଷ୍ଟ ଜଣାପଡୁଛି ଯେ, ସିଗନାଲ କର୍ମଚାରୀଙ୍କ ସର୍ଟକଟ ବ୍ୟବହାର ଦ୍ୱାରା ରେଳ ଚଳାଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହା ଏକ ଗମ୍ଭୀର ପ୍ରସଙ୍ଗ, ଯାହାର ତୁରନ୍ତ ସମାଧାନ ହେବା ଆବଶ୍ୟକ। ରେଳବାଇ ବୋର୍ଡ ଏଭଳି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଭଳି କାମକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଯାତ୍ରୀଙ୍କ ସୁରକ୍ଷାକୁ ରେଳବାଇର ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ।
Comments are closed.