Latest Odisha News

BREAKING NEWS

ଜାପାନର ବଡ ନିଷ୍ପତ୍ତି: ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ରୁ ୧୬କୁ ବଢିଲା

ନୂଆଦିଲ୍ଲୀ: ଯୌନ ଅପରାଧକୁ ରୋକିବାକୁ ଓ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାପାନ ସରକାର ତତ୍‌ ସମ୍ପର୍କିତ ଆଇନ୍‌ରେ ପରିବର୍ତ୍ତନ କରିଛନ୍ତି। ସ୍ୱଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ୧୩ ବର୍ଷରୁ ବଢ଼ାଇ ୧୬ ବର୍ଷ କରିଛନ୍ତି। ଶୁକ୍ରବାର ଜାପାନ ସଂସଦରେ ଏହି ନୂଆ ନିୟମ ପାରିତ ହୋଇଛି। ନୂଆ ନିୟମ ପାରିତ ହେବା ପରେ ୧୬ ବର୍ଷରୁ କମ୍‌ ବୟସ୍କ ପୁଅ କିମ୍ବା ଝିଅଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଅପରାଧ ବୋଲି ବିବେଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନା ଥାଉକି ଜାପାନରେ ଶାରିରୀକ ସମ୍ପର୍କର ଅନୁମତି ବୟସ ବିଶ୍ୱର କିଛି ଦେଶ ଭଳି ସବୁଠାରୁ କମ୍ ଥିଲା। ଗତ ୧୦୦ ବର୍ଷରୁ ଅଧିକ ସମୟ ହେବ ଏଥିରେ କୌଣସି ପରିବର୍ତ୍ତନ କରାଯାଉ ନଥିଲା। ଜାପାନରେ ୨୦୧୭ରେ ୧୧୦ ବର୍ଷ ତଳର ଯୌନ ଅପରାଧ ସମ୍ପର୍କିତ ଆଇନ୍‌ରେ ସଂଶୋଧନ କରିଥିଲା।

ପୂର୍ବରୁ ଥିବା ଦୁର୍ବଳ ନିୟମ ଯୋଗୁ ଜାପାନରେ ବହୁ ସଂଖ୍ୟାରେ ଯୌନ ଅପରାଧି ଅପରାଧ ଘଟାଇ ଖସିଯାଉଥିଲେ। ମହିଳାଙ୍କୁ ଅଯଥା ନିର୍ଯାତନା ସହିବାକୁ ପଡ଼ୁଥିଲା। ଫଳରେ ଦେଶରେ ଜନତାଙ୍କ ଆକ୍ରୋଶ ବଢ଼ିବାରେ ଲାଗିଥିଲା। ତେଣୁ ଦେଶରେ ଏନେଇ ଜାଗୃତା ସୃଷ୍ଟି କରିବା ଓ ଅପରାଧିଙ୍କୁ ସଜା ଦେବା ପାଇଁ ଜାପାନ ସରକାର ୧୦୦ ବର୍ଷ ପୁରୁଣା ନିୟମରେ ପରିବର୍ତ୍ତନ କରିଛନ୍ତି।

ଶାରିରୀକ ସମ୍ପର୍କ ରଖିବାର ପାଇଁ ବୟସର ଅନୁମତି ବିଭିନ୍ନ ଦେଶରେ ଅଲଗା ଅଲଗା ରହିଛି। ଭାରତରେ ଶାରିରୀକ ସମ୍ପର୍କ ରଖିବାର ବୟସର ଅନୁମତି ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ରହିଥିବା ବେଳେ ବ୍ରିଟେନ୍‌ରେ ୧୬, ଜର୍ମୀନୀ ଓ ଚୀନ ଏହି ବୟସ ସୀମା ୧୪ ରଖାଯାଇଛି।

Comments are closed.