ଅନୁଗୁଳ: ଏକାଧିକ ଗୁଳି ବାଜି କ୍ଷତବିକ୍ଷତ ହୋଇଥିବା ଏକ ଦନ୍ତାହାତୀର ଶବ ଉଦ୍ଧାର ହୋଇଛି। ଅନୁଗୁଳ ବନ ଖଣ୍ଡ ଅଧୀନରେ ଥିବା ସାତକୋଶିଆର ଜିଲିନ୍ଦା ରେଞ୍ଜର ଏହି ଦନ୍ତା ହାତୀର ଗଳିତ ଶବକୁ ଉଦ୍ଧାର କରିଛନ୍ତି। ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଆସିଥିବା ସ୍ଥାନୀୟ ବ୍ୟକ୍ତିମାନେ ଏହି ଦନ୍ତାହାତୀର ଶବକୁ ଦେଖିବା ପରେ ତୁରନ୍ତ ବନ ଅଧିକାରୀଙ୍କୁ ଜଣାଇଥିଲେ।
ପ୍ରାଥମିକ ଅନୁସନ୍ଧାନ କରିବା ପରେ ଜଣାପଡିଛି ଯେ ହାତୀର ବାମ କାନ ନିକଟରେ ଗୁଳି ବାଜିଛି। ଜଙ୍ଗଲ ଅଧିକାରୀଙ୍କ କହିବାନୁସାରେ, ହାତୀଟିର ଆନୁମାନିକ ବୟସ ପ୍ରାୟ ୫୦ ବର୍ଷ। ସ୍ଥାନୀୟ ଲୋକଙ୍କଠାରୁ ସତର୍କ ସୂଚନା ପାଇବା ପରେ ବନ ଅଧିକାରୀମାନେ ଉକ୍ତ ସ୍ଥାନକୁ ଯାଇ ଦୁଇଟି ଦାନ୍ତ ଶହ ହାତୀର ଶବ ଉଦ୍ଧାର କରିଥିଲେ।
ଜଣେ ଅଧିକାରୀ କହିଛନ୍ତି, ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପରୀକ୍ଷା ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ଏହାର ମୃତ୍ୟୁର ପ୍ରକୃତ କାରଣ ସ୍ଥିର ହେବ।
ଜିଲିନ୍ଦା ରେଞ୍ଜ ଅଧିକାରୀ ଲିଙ୍ଗରାଜ ଭୋଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀର ମୃତଦେହ ଉଦ୍ଧାର କରିଥିଲୁ। ଏହାର ଆନୁମାନିକ ବୟସ ପ୍ରାୟ ୫୦-୫୫ ବର୍ଷ ହେବ। ଯଦିଓ ହାତୀର ଶରୀରରେ ଗୁଳି ବାଜିଛି ଆମେ ସନ୍ଦେହ କରୁଛୁ ଏହା ଏକ ପୁରୁଣା ଆଘାତ ହୋଇପାରେ।
ଗୁଳିର ଆଘାତ ପରିବର୍ତ୍ତେ ବୃଦ୍ଧାବସ୍ଥା ସହିତ ଜଡ଼ିତ ପ୍ରାକୃତିକ କାରଣରୁ ହାତୀଟି ମୃତ୍ୟୁବରଣ କରିଥାଇପାରେ। ଆମେ ଏପର୍ୟ୍ୟନ୍ତ ପ୍ରକୃତ କାରଣକୁ ନିଶ୍ଚିତ କରିନାହୁଁ, ଯାହା ଫୋରେନସିକ୍ ଲାବୋରେଟୋରୀରୁ ରିପୋର୍ଟ ପାଇବା ପରେ ସ୍ଥିର ହେବ।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଘଟଣାସ୍ଥଳରେ ଗୋଟିଏ ଅକ୍ଷୁର୍ଣ୍ଣ ଦାନ୍ତ ଏବଂ ଅନ୍ୟଟି ଏକ କ୍ଷତ ଚିହ୍ନ ଥିବା ଦାନ୍ତ ପାଇଛୁ। ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି।
ଏହି ସମୟରେ ଓକିଲ ଦେବଦତ୍ତ ମାଲାୟା ବରାଳ ଅବହେଳା ପାଇଁ ବନ ବିଭାଗକୁ ସମାଲୋଚନା କରି କହିଛନ୍ତି ଯେ “ହାତୀଟିର ମୃତଦେହ ଜଙ୍ଗଲ ଭିତରୁ ମିଳିଥିଲା, କିନ୍ତୁ ଜଙ୍ଗଲ ବିଭାଗ ଏହା ଜାଣି ନଥିଲା। ସେମାନେ ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମେ ଏଥିରେ ଏକ ପ୍ରକାର ଷଡଯନ୍ତ୍ରରେ ସନ୍ଦେହ କରୁଛୁ । ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରୁଛୁ।
Comments are closed.