Latest Odisha News

BREAKING NEWS

ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୦ ଡିଗ୍ରୀ ଉପରେ ୧୦ଟି ସ୍ଥାନର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାପୂର୍ବରୁ ମଙ୍ଗଳବାର ରାଜ୍ୟର ତାପମାତ୍ରା ପୂର୍ବ ଅପେକ୍ଷା ଟିକିଏ କମିଛି। ଆଜି ରାଜ୍ୟର ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁୟାୟୀ ୪୨.୧ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଅନ୍ୟ ଦୁଇଟି ପଶ୍ଚିମ ଓଡିଶା ସହର ଝାରସୁଗୁଡା ଓ ଟିଟଲାଗଡରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦରେ ୪୧.୯, ସୋନପୁରରେ ୪୧.୮, ବଲାଙ୍ଗୀରରେ ୪୧.୨, ସୁନ୍ଦରଗଡ଼ରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ବୁଧବାର ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ହେଲେ ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର, ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ମଧ୍ୟରେ ବର୍ଷା ହେବାର ଆକଳନ କରିଛି ପାଣିପାଗ କେନ୍ଦ୍ର।

ସୂଚନାଯୋଗ୍ୟ ଯେ ଶନିବାର ରାଜ୍ୟର ୨୨ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ଥିବାବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ ଉପଦ୍ୱୀପର ଆଉ କିଛି ଭାଗରେ ମୌସୁମୀ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ପ୍ରଭାବରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

Comments are closed.