Latest Odisha News

ନା ନଧରି ବିଜେଡି ସୁପ୍ରିମୋଙ୍କୁ ବିଜେପି ସଭାପତିଙ୍କ ଟାର୍ଗେଟ, ରଣନୀତି ନା ବାଧ୍ୟବାଧକତା?

ଭୁବନେଶ୍ୱର: ପ୍ରସଙ୍ଗ ଉଠାଇ ସିଧା ରାଜ୍ୟ ସରକାର ତଥା ଶାସକ ଦଳ ବିଜୁ ଜନତା ଦଳକୁ ଟାର୍ଗେଟ କରୁଛି ବିରୋଧୀ ବିଜେପି। କିନ୍ତୁ ଯାହାଙ୍କୁ ନେଇ ଏହି ପ୍ରସଙ୍ଗ ତାଙ୍କ ନା ନେବାକୁ ବିଜେପି କାହିଁକି ପଛଘୁଞ୍ଚା ଦେଉଛି ତାହା ହେଉଛି ଏବେ ବଡ ପ୍ରସଙ୍ଗ। ଦଳର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ସହିତ ରାଜ୍ୟର ଶାସକ ଦଳକୁ ସମାଲୋଚନା କରିଛନ୍ତି। ରାଜ୍ୟରେ କିଏ ଶାସନ ଚଳାଉଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ଏହା ପୂର୍ବ ଗସ୍ତ ବେଳେ ମଧ୍ୟ କଳାହାଣ୍ଡିରେ ସମାନ ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ କାହିଁକି ନା ନେଉ ନାହାନ୍ତି ତାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧୀ ଭାବେ ବିଜେପି ବେଶ ସକ୍ରିୟ ହୋଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଜନଶିବିର କରିବା ବେଆଇନ୍ ବୋଲି ଆଇଏଏସ ଚାକିରି ଛାଡି ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସଚିବ ଜଣଙ୍କ ଏପରି କରି ଆଇଏଏସ ଚାକିରିର ନିୟମାବଳୀକୁ ଉଲ୍ଲଂଘନ କରିଛନ୍ତି ବୋଲି ସାସଂଦ କହିଛନ୍ତି। କିନ୍ତୁ ନିଜ ସାମ୍ବାଦିକ ସମ୍ମିଳନୀର ଅପରାଜିତା ସଂପୃକ୍ତ ଆଇଏଏସ ଅଫିସର ବା ସଚିବଙ୍କ ନାମ ନେଲେ ନାହିଁ କେବଳ କହିଲେ ଜଣେ ନିମ୍ନ ରାଙ୍କର ଅଫିସର ତାଙ୍କ ପ୍ରୋଟୋକଲ ଉଲ୍ଲଂଘନ କରୁଛନ୍ତି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଲେ ବେଆଇନ ଭାବେ ଅଫିସର କାମ କରୁଛନ୍ତି। ଯଦି ଇଚ୍ଛା ଅଛି ରାଜନୀତି କରନ୍ତୁ କିନ୍ତୁ ସରକାରୀ ଚାକିରିରେ ଥାଇ ନୁହେଁ। ଆଉ ଆଜି ନଡ୍ଡା ସମାନ କଥା ଉଠାଇଲେ ମଧ୍ୟ ସଂପୃକ୍ତ ଆଇଏଏସ ଅଫିସରଙ୍କୁ ନା ନେଇ ଟାର୍ଗେଟ କଲେ।

ନଡ୍ଡା କହିଛନ୍ତି, ଅଧିକାରୀଙ୍କ ହାତରେ ପୂରା ଶାସନ ଟେକି ଦେଇଛନ୍ତି ନବୀନ। କିଏ ଶାସନ ଚଳାଉଛି ଆପଣ ଜାଣିଛନ୍ତି, ମୁଁ ବି ଜାଣିଛି।
ନବୀନ ବାବୁ ଚଳାଉ ନାହାନ୍ତି, କିଏ ଚଳାଉଛି ସମସ୍ତେ ଜାଣିଛନ୍ତି। ଆପଣ ଭୋଟ ଜଣକୁ ଦେବେ, ଶାସନ ଆଉ ଜଣେ କରିବେ। ଏଭଳି ସରକାର ଆମର ଦରକାର କି ପ୍ରଶ୍ନ କରିଛନ୍ତି ନଡ୍ଡା। ସମୟ ଆସିଯାଇଛି, ଆମେ ଏଠି ବି ସରକାର ଗଢ଼ିବା ବୋଲି କହିଛନ୍ତି।

ଦିଲ୍ଲୀରେ ବିଜେପିର ପୁରୁଣା ସହଯୋଗୀ ଦଳ ଏବେ ବିରୋଧୀ ଶିବିର ପ୍ରତି ଆକୃଷ୍ଟ ହୋଇଥିବା ବେଳେ ବିଜେଡି ସରକାରର ଅଘୋଷିତ କ୍ଷମତାକେନ୍ଦ୍ରର ନା ନେଇ ଦଳର ମୋଦୀ-ଶାହଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି କି ବିଜେପି ସଭାପତି? ନା ରାଜ୍ୟରେ ନିଜର ସ୍ଥିତି ବଞ୍ଚାଇବାକୁ ଯାଇ କେବଳ ବିରୋଧ କରୁଛନ୍ତି ତାହା ମଧ୍ୟ ଏବେ ଚର୍ଚ୍ଚାର ବିଷୟ।

ଉଲ୍ଲେଖଯୋଗ୍ୟ, ୨୦୧୪ ବେଳେ ହେଉ ଅବା ୨୦୧୯ ସାଧାରଣ ନିର୍ବାଚନ ବେଳେ ମୋଦୀ, ଅମିତ ଶାହ ମଧ୍ୟ ପ୍ରଚାର କରିଛନ୍ତି ବିଜେଡି ବିରୋଧରେ । ପୋଡା ଟ୍ରାନସଫରକୁ ସମୁଦ୍ରରେ ଫିଙ୍ଗି ଦେବାକୁ ଅମିତ ଶାହ ଆହ୍ବାନ କରିଥିଲେ। କିନ୍ତୁ କେବେ ନବୀନଙ୍କ ନା ନେଇନଥିଲେ। ଆଉ ଯେଉଁଥିପାଇଁ ରାଜ୍ୟରେ ଦଳର ସଂଗଠନ ଦୁର୍ବଳ ହେଉଛି ବୋଲି କୁହାଯାଉଥିବା ବେଳେ, ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କଲେ ମଧ୍ୟ କେନ୍ଦ୍ରରେ କ୍ଷମତାରେ ବସିଥିବାରୁ ସଂସଦରେ ବିଜେଡିର ଅଘୋଷିତ ସମର୍ଥନ ପାଇବାରେ ବିଜେପି ସକ୍ଷମ ହୋଇଛି ବୋଲି ବୁଝାଯାଏ। ଆଉ ଏବେ ସରକାର ଜଣେ ଅଘୋଷିତ କ୍ଷମତାରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା କଥା ବିଜେପି କହୁଥିଲେ ମଧ୍ୟ ନା ନେବା ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପଟେ ଶାସନ କିଏ ଚଳାଉଛି ବୋଲି ନଡ୍ଡା ପ୍ରଶ୍ନ କରିବା ପରେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବିଜେପି କଣ ଜାଣିନାହିଁ କିଏ ସରକାର ଚଳାଉଛି। ମୁଖ୍ୟମନ୍ତ୍ରୀ ଆମର ଜଣେ ନେତା। ତାଙ୍କ ନିର୍ଦ୍ଦେଶରେ ଫାଇଭ ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ରାଜ୍ୟର ଅଗ୍ରଗତି ସହିପାରୁନି ବିଜେପି।

ଅନ୍ୟପଟେ କେନ୍ଦ୍ରରେ କ୍ଷମତାରେ ବିଜେପି ରହିଛି। ଗୃହମନ୍ତ୍ରାଳୟ ମଧ୍ୟ ଅମିତ ଶାହଙ୍କ ପାଖରେ ରହିଛି। ଜଣେ ଦକ୍ଷ ଗୃହମନ୍ତ୍ରୀ ତଥା ଅନ୍ୟାୟ ଓ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ବୋଲି ପରିଚୟ ଦିଅନ୍ତି ଅମିତ ଶାହ। ପଶ୍ଚିମବଙ୍ଗରେ ସମାନ ପ୍ରସଙ୍ଗରେ ଯେତିକି ସକ୍ରିୟତା ଦେଖାଉଛନ୍ତି ଶାହ ଓଡିଶା ବେଳେ ନିଜର ନିରବତା ବା ନରମନୋଭାବ ଅନେକ କିଛି ବୁଝାଉଛି।

Comments are closed.