Latest Odisha News

BREAKING NEWS

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ ଟ୍ୱିଟରରେ ବିଲ୍ ପୋଷ୍ଟ କରିଥିବା ବେଳେ ଟାଟା ପାୱାରକୁ ଜବାବ ମାଗିଛନ୍ତି ମୁଖ୍ୟ ଶାସନ ସଚିବ ।

କିଛିଦିନ ତଳେ ରାଜଧାନୀରେ କାଳବୈଶାଖୀ ବର୍ଷାର ୧୫ ଘଣ୍ଟା ପରେ ବି ଅନ୍ଧାରରେ ରହିଥିଲା ରାଜଧାନୀର କିଛି ଅଞ୍ଚଳ । ଯାହାକୁ ନେଇ ସେତେବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟରରେ ଟାଟା ପାୱାର ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆଉ ଏବେ ପୁଣି ଥରେ ବିଦ୍ୟୁତ୍ ବିଲ୍ ଅବଧିକୁ ନେଇ ଟାଟା ପାୱାରକୁ ଜବାବ ମାଗିଛନ୍ତି ।

ଟ୍ୱିଟରରେ ଗ୍ରାହକ ପୋଷ୍ଟ କରିଥିବା ବିଲ୍ ଅନୁସାରେ, ମେ ମାସ ୭ ତାରିଖରେ ବିଲ୍ ଦେଇଥିଲା ଟାଟା ପାୱାର । ହେଲେ ଜୁନ୍ ମାସ ବିଲ୍ ଜେନେରେଟ୍ ହୋଇଛି ୧୮ ତାରିଖରେ । ଅର୍ଥାତ୍ ୪୦ ଦିନ ପରେ ଟାଟା ପାୱାର ଦ୍ୱିତୀୟ ମାସର ବିଲ୍ ଦେଇଛି । ଦେଢ଼ ମାସ ପରେ ସଂସ୍ଥା ବିଲ୍ ଦେବା ସହ ୟୁନିଟ୍ ପିଛା ୫ ଟଙ୍କା ୮୦ ପଇସା ଓ ୬ ଟଙ୍କା ୨୦ ପଇସା ଆଦାୟ କରୁଥିବା ଗ୍ରାହକ ଅଭିଯୋଗ କରିଛନ୍ତି । ଏନେଇ ଟାଟା ପାୱାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଏଭଳି ଭାବେ ଦେୟ ଅବଧିରେ ଜାଲିଆତି କରି ଲୋକଙ୍କୁ ଟାଟା ପାୱାର ଲୁଟୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ୱିଟରରେ ଟାଟା ପାୱାରକୁ କହିଛନ୍ତି ବିଲିଂ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ଅଣାଯାଉ । ଗ୍ରାହକ ବୁଝି ପାରିଲା ଭଳି ବିଲ୍ ଦେଇ ଯେମିତି ଅତ୍ୟଧିକ ଦେୟ ଆଦାୟ କରା ନଯାଉଛି ସେନେଇ ବିଶ୍ୱାସ ସୃଷ୍ଟି କରାଯାଉ ।

Comments are closed.