Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପରିପ୍ରେକ୍ଷୀରେ ଆମେ ବିଶେଷ ଦିନ ଗୁରୁବାର ମାଜଣା ନୀତି ବିଷୟରେ ଜାଣିଲେ। ସେହି ଗୁରୁବାର ରାତ୍ରରେ ଅନୁଷ୍ଠିତ ହେଉଥିବା ଏକାନ୍ତ ନୀତି ବିଷୟରେ ମଧ୍ଯ ଆଲୋଚନା କରିବା।

ଏକାନ୍ତ ନୀତି :-ଗୁରୁବାର ସନ୍ଧ୍ୟା ଧୂପ ପରେ ମହାଜନମାନେ ମଦନ ମୋହନଙ୍କୁ ଦକ୍ଷିଣ ଘରୁ ଆଣି ରତ୍ନ ସିଂହାସନ ଉପରେ ବିଜେ କରlନ୍ତି। ଏହିଠାରେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଖଣ୍ଡିଏ( ତୁଳସୀ ମିଶ୍ରିତ )
ମଦନ ମୋହନଙ୍କୁ ପ୍ରଦାନ କାରାଯାଏ। ଆଉ ଖଣ୍ଡିଏ ଆଜ୍ଞା ମାଳ (ସାଦା ) ଶ୍ରୀଦେବୀ (ଲଷ୍ମୀ ସ୍ୱରୂପା )ଙ୍କୁ ପୂଜାପାଣ୍ଡା ଲାଗି କରନ୍ତି। ଆଜ୍ଞା ମାଳ ଲାଗି ପରେ ଉଭୟ ମଦନମୋହନ ଓ ଶ୍ରୀଦେବୀଙ୍କୁ ଝୁଲଣ ମଣ୍ଡପ ତଳେ ରହିଥବା ପାଲିଙ୍କିରେ ବିଜେ କାରାଯାଏ। ବିମାନବଡୁମାନେ ପାଲିଙ୍କି ବୋହି ନେଇ ସରସ୍ବତୀ-ଭୁବନେଶ୍ୱରୀଙ୍କ ମନ୍ଦିର ସମ୍ମୁଖରେ ଓହ୍ଲାନ୍ତି । ଏହିଠାରୁ ମହାଜନ ମାନେ ଘଣ୍ଟ, ଛତା, ଦିହୁଡି ସହ ଉଭୟ ମଦନମୋହନ ଓ ଶ୍ରୀଦେବୀ ଙ୍କୁ ହାତରେ ବିଜେ କରାଇ ସରସ୍ବତୀ ମନ୍ଦିର ଭିତର ଦେଇ ଲଷ୍ମୀ ମନ୍ଦିର ଜଗମୋହନ ରେ ପହଞ୍ଚନ୍ତି, ସେଠାରେ ପଡ଼ିଥିବା ପଲଙ୍କରେ ବିଜେ କରାନ୍ତି ଏହିଠାରେ ସୁଧ ସୁଆର କିମ୍ବା ଆସନ ପ୍ରତିହାରୀ ପୂଜା ଠା କରନ୍ତି। ଭିତରଛ ପ୍ରସାଦ ଲାଗି କରନ୍ତି। ପୂଜାପଣ୍ଡା କୋରା ଭୋଗ କରନ୍ତି। ଏହି ସମସ୍ତ ପୂଜା କାର୍ଯ୍ୟ ସରିବା ପରେ ଆଳତି ଓ ଅକ୍ଷତ ବନ୍ଦାପନା ହୋଇଥାଏ। ଏହାପରେ ମଦନମୋହନ ଓ ଶ୍ରୀଦେବୀଙ୍କୁ ପୁଣି ପାଲିଙ୍କିରେ ବିଜେ କରାଇ ବାହୁଡ଼ାଇ ଅଣାଯାଏ। ଏହି ବାହୁଡା଼ ବିଜେ ସାତପାହାଚ ଦେଇ ଗରୁଡ଼ଙ୍କ ସାମ୍ନା ଜଗମୋହନରେ ଓହ୍ଲାଇଥାଏ। ଏହି ଠାରୁ ମହାଜନ ମାନେ ଉଭୟ ଦେବାଦେବୀଙ୍କୁ ସ୍ଵ ସ୍ୱ ସ୍ଥାନକୁ ଫେରାଇ ନିଅନ୍ତି। ଅବଶ୍ୟ ଯଦି ଗୁରୁବାରରେ ଏକାଦଶୀ ପଡ଼ିଲେ ଅବା କିଛି ବିଶେଷ ଦିନ (ଯାହା ଶ୍ରୀମନ୍ଦିର ସତ୍ୱଲିପି ରେ ସୂଚିତ ) ସେହି ଦିନମାନଙ୍କ ରେ ମlଜଣା ବା ଏକାନ୍ତ ନୀତି ହୁଏନାହିଁ। ଯଥା ଜନ୍ମାଷ୍ଟମୀଠାରୁ ଭାଦ୍ର ଶୁକ୍ଳ ଅଷ୍ଟମୀ (କଂସବଧ )ପର୍ଯ୍ୟନ୍ତ ଏହି ନୀତି ହୁଏନି ।

ଏହି ବିଶେଷ ନୀତିକୁ ଯେଉଁ ସେବକମାନେ ସୁଚାରୁ ରୂପେ ତୁଲେଇଥାନ୍ତି । ସେମାନେ ହେଲେ :-ମହାଜନ ଜଣେ, ସୁଧସୁଆର, ପର୍ବଯାତ୍ରା ଯୋଗାଣିଆ, ଆସ୍ଥାନ ପଢିଆରୀ, ଚନ୍ଦନ ଘଟୁଆରୀ, ପୂଜାପଣ୍ଡା, ଭିତରଛ, ପାଳିଆ ପୁଷ୍ପାଳକ, ବିମାନବଡୁ. ଛତlର, ଘଣ୍ଟୁଆ, ଓ ଖଟଶେଜ ମେକାପ। ଆଗାମୀ ଅଧ୍ୟାୟରେ ଜାଣିବା ଆଉ ଏକ ଗୁରୁତ୍ୱପୂର୍ଣ ନୀତି ନକ୍ଷତ୍ର ବନ୍ଦାପନା ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ସବୁଦିନର ଭାଗବତ ପଠନ ।

ଚଞ୍ଚଳ ମନ ଏଣେ ଧରି
ସାଧିବ ସତ୍ୱଗୁଣେ ଭରି ।
ପରମ ଯୋଗ ଏ ସାଧନ
ଅଭ୍ୟାସେ ମନ ନିରୋଧନ ।
ଚଞ୍ଚଳ ତୁରଙ୍ଗମ ଯେହ୍ନେ
କ୍ରମେ ସୁସାଧ୍ୟ ଦିନେ ଦିନେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.