ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷାର ପ୍ରଚଳିତ ରୀତି
ଥିଲେ କି ନ ଥିଲେ ବି ଯୁକ୍ତି
ଜନସମାଜେ ଥାଏ ଚଳି
ଧ୍ବନି ଓ ରୂପ କେତେ ଭଳି
ଥାଉ, ନ ଥାଉ ଯୌକ୍ତିକତା
ଗ୍ରହଣଶୀଳ ଲୋକ ମଥା
ରୀତିକୁ କରିଲେ ସ୍ବୀକାର
ଭାଷାଟେ ଚଳେ ନିରଂତର
କେତେକ ସୁଜ୍ଞାନୀ ପଂଡିତ
ସର୍ବଦା ରହି ଚର୍ଚାରତ
ବ୍ୟକ୍ତ କରଂତି ଯେତେ ମତ
ତାଂକୁ ହିଁ କରେ ଉଲ୍ଲସିତ
ଭାଷାକୁ କରି ଅଧ୍ୟୟନ
ନ କଲେ ଔଚିତ୍ୟ ବିଧାନ
ଭାଷାର ବାସ୍ତବ ସ୍ବରୂପ
କେବେ ବି ହୁଏନାହିଁ ଲୋପ
ନିୟମ ସହ ବ୍ୟତିକ୍ରମ
ଚଳଂତି ଯେଣୁ ଅବିରାମ
କରି ଅଯଥା ପରିଶ୍ରମ
ନ ଖୋଜୁଁ ବିଚ୍ୟୁତି ଓ ଭ୍ରମ
ପରିବର୍ତନ ପ୍ରତି ଭୀତି
କରେ ବ୍ୟକ୍ତି, ଜାତିର କ୍ଷତି
ଯେଣୁ ହୁଏନି ଅଗ୍ରଗତି
ବୃତ୍ତପଥରେ ଘୂରେ ମତି
ମୌଳବାଦୀ ବିଚାରଧାରା
ତିଆରି କରେ ଯେଉଁ କାରା
ସେଠାରେ ସ୍ବେଚ୍ଛାବଂଦୀ ହୋଇ
କେହି କି ଉନ୍ନତି କରଇ ?
ଆମର ପ୍ରଥା, ପରଂପରା
ଯୋଗୁଁ ହୋଇଲେ ଆତ୍ମହରା
ବ୍ୟକ୍ତିର ପ୍ରକୃତ ବିକାଶ
ନ ଘଟି, ହୁଏ ସତ୍ତାନାଶ
କାଳ ସହିତ ଦେଇ ତାଳ
ଚଳିଲେ ମିଳଇ ସୁଫଳ
ଏତିକି ବୁଝିବାକୁ ରାଜି
ନ ହେଲେ, ସ୍ବପ୍ନ ଯାଏ ଭାଜି
Comments are closed.