ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ନା, ଆମେ ଜାଣିନେ…” ସିଡ଼୍ କହିଲା ପରେ ରୋହାନ୍ ଚମ୍କି ପଡ଼ି ପଚାରିଲା, “କ’ଣ ଜାଣିନେ?”
“ମୁଁ ଏୟା କହିବାକୁ ଚାହେଁ ଯେ ବୀରା ଏବେ ଏବେ ତା’ ଭଉଣୀକୁ ହରାଇବାର ଯେଉଁ ଦୁଃଖ ଓ ଯନ୍ତ୍ରଣା ସହୁଛି, ତାକୁ କୌଣସି ସାନ୍ତ୍ୱନା କମ କରିପାରିବନି ।” ଟିକେ ଅସନ୍ତୁଷ୍ଟ ହୋଇ ସିଡ଼୍ କହିଲା । ତା’ର ଏମିତି କଥା ଶୁଣି ରୋହାନ୍ ରାଗିଯିବ ବୋଲି ସେ ଆଶା କରୁଥିଲେ ବି, ସେମିତି କିଛି ହେଲାନି । ତା’ କଥାରେ ସମ୍ମତି ଜଣାଇଲା ପରି ମୁଣ୍ଡ ହଲାଇ ଦେଇ ରୋହାନ୍ କହିଲା, “ତୁ ଠିକ୍ କହୁଛୁ ।
ଆମେ କେହି ଏକଥା ଜାଣିନେ । ଯେଉଁ କଷ୍ଟ ତୁ ଅନୁଭବ କରୁଛୁ ସେ ଖୁବ୍ ତୀବ୍ର ବୋଲି ମୁଁ ବୁଝିପାରୁଛି ସିଡ଼୍ । ପ୍ରକୃତକଥା ହେଲା ବାହ୍ୟ କ୍ଷତ ଗୁଡ଼ାକ ସମୟକ୍ରମେ ଶୁଖିଯାଏ, କିନ୍ତୁ ଅନ୍ତରର କ୍ଷତ… ସାରା ଜୀବନଟା ଲାଗିଯାଇପାରେ ହୁଏତ । ଆବେଗିକ ଓ ମାନସିକ କଷ୍ଟ ତୁଳନାରେ ଶାରୀରିକ କଷ୍ଟକୁ ସହଜରେ ସହିହୁଏ ।”
ଖୁବ୍ ଗମ୍ଭୀର ପାଲଟି ଯାଇଥିବା ସିଡ଼୍ ଭାବିଲା, ଏବେ ଟିକେ ହାଲ୍କା ହେଇଯିବା ଠିକ୍ ହେବ । ବୀରା ପାଖରେ ଏବେ ସକରାତ୍ମକ ଭାବନା ନେଇ ମଜବୁତ୍ ଭାବରେ ଠିଆ ହେବାକୁ ପଡ଼ିବ ।
ରୋହାନ୍ କଥା ଶୁଣି ତାରିଫ୍ କଲାପରି କହିଲା, “ବାଃ, ଗୋଟେ ଦାର୍ଶନିକ ପରି କଥାଟେ କହିଲ ଭାଇ ।”
ରୋହାନ୍ ସାମାନ୍ୟ ହସିଦେଲା ଏବଂ ଅନ୍ୟ ଆଡ଼କୁ ଟିକେ ଚାହିଁଲା । ସେମାନେ ସେଠି ଆନେକ ସମୟ ଧରି ନୀରବରେ ବସି ରହିଥା’ନ୍ତି; ରୋହାନ୍ କେବଳ ଏପଟସେପଟ ଚାହୁଁଥାଏ, ତା’ର ଚତୁଃପାଶ୍ୱର୍ରେ ଉଦ୍ଧାର ପାଇ ଆସିଥିବା ଅନ୍ୟାନ୍ୟ ଯାତ୍ରୀମାନଙ୍କୁ ନିରୀକ୍ଷଣ କରୁଥାଏ । ବୀରା ଫର୍ମ ପୂରଣ କରିବାପାଇଁ ସିଡ଼୍ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ବାରବାର ଅସଫଳ ହେଉଥାଏ । ଅନେକ ସମୟ ପରେ, ଫର୍ମଟି ପୂରଣ କରିସାରି ସିଡ଼୍ ନେଇ “ଇନ୍କ୍ୱାରି ଡେସ୍କ୍” ମହିଳାଜଣଙ୍କୁ ଦେଲା । ସେଠୁ ଫେରିଲା ପରେ ଗମ୍ଭୀର ହୋଇ ବସିଥିବା ରୋହାନ୍କୁ ପଚାରିଲା, “ବୀରା କୁଆଡ଼େ ଗଲା?”
କ୍ରମଶଃ